Mohana He Mohini Saduchhi

ମୋହନ ହେ ମୋହିନୀ ସଡ଼ୁଛି
(Brajaballabha— Raga Todi, Tala Sarimana)
(ବ୍ରଜବଲ୍ଲଭ— ରାଗ ତୋଡ଼ି, ତାଳ ସରିମାନ)

ମୋହନ ହେ ମୋହିନୀ ସଡ଼ୁଛି
ରଖ ରଖ ଶିବ ବୋଲି ମହୀ ପରେ ଗଡ଼ୁଛି । ଘୋଷା ।

ଚିନ୍ତି ତବ ରୂପ ଖରତର ଶ୍ୱାସ ଛାଡ଼ୁଛି
ଚିତ୍ତ ଛନ୍ନଛନ୍ନ ଏକା ତୁମ୍ଭ ସଙ୍ଗ ଲୋଡ଼ୁଛି ।
(ପଡ଼ି)
କ୍ଷଣ କ୍ଷଣକେ ସ୍ତମ୍ଭ କମ୍ପେ ସ୍ୱେଦ ଆରମ୍ଭ
ପୁଲକ ସ୍ୱରଭଙ୍ଗ ଯୋଗୁଁ ନ ରହେ ଦମ୍ଭ
ସୁବର୍ଣ୍ଣ ଗାତ୍ର ତାର ବିବର୍ଣ୍ଣରୁ ପାଣ୍ଡୁର
ହତଚେତ ନୟନୁ ଗଳୁଛି ଅଶ୍ରୁଧାର
ଫିଟିଛି କେଶଚିର ଘୋଟି ବିରହଜ୍ୱର
ଫୁଟିବାରୁ ହୃଦର ତୁଟିଛି ବେଶ ହାର
ଯାକୁ ନିମିତ୍ତ ପାଶ ନ ଦେଖି ପାଅ ତ୍ରାସ
ତାକୁ ଏଡ଼େ ନିରାଶ କରି କି ଅର୍ଜ୍ଜ ଯଶ ହେ । ୧ ।

ହୋଇ କାମ ବାମ ଯମ ସମ ସଦା ପୀଡ଼ୁଛି
ବିଷ ଦିଶ ଦିଶେ ଯେଣୁ ହୃଦେ କର ତାଡ଼ୁଛି ।
(ପଡ଼ି)
ବୋଲେ ନଟନାଗର ହଟ ମୋ ପରେ କଲ
ନଟକାର ପରାୟେ କପଟୀ କିମ୍ପା ହେଲ
ଦିଶୁ ତ ଅଛ ଡୋଳେ ନ ଆସ କିମ୍ପା କୋଳେ
ଏଡ଼େ ଦାରୁଣପଣ କରି କି ଦାସୀ କୁଳେ ହେ । ୨ ।

ଗଳି ମରକତ ଚୂଡ଼ି ପଡ଼ିଅଛି ଶେଯରେ
ପଡ଼ି ପଞ୍ଚଶର ଶର ଘଡ଼ି ଘଡ଼ି ପ୍ରହାରେ ।
(ପଡ଼ି)
ଜଡ଼ି ତୋ ରସେ ମନ ବହେ ଲୋତକ ବନ
ଛାଡ଼ିବାରୁ ଆହାର ନିଦ୍ରା ନାହିଁ ନୟନ
ତେଜିଲାଣି ବିବେକ ଉନ୍ମାଦ ଅତିରେକ
ଦଣ୍ଡ ଦଣ୍ଡକେ ମୂର୍ଚ୍ଛା ଯାଉଛି ବାରେ ରଖ । ୩ ।

ଶୁଣାଇ ତୋ ନାମ କର୍ଣ୍ଣେ ବେଢ଼ି ସଖୀ ସକଳ
ଚେତି ଧୀରେ ବୋଲେ ପାଶ ଆସ ପୀତଦୁକୂଳ ।
(ପଡ଼ି)
ନ ଦେଖି ବୋଲି ସଖି ମିଛେ ଉଣ୍ଡ କାହିଁକି
ପୂତନା ଷଣ୍ଢାମରା ବୋଲି ଜାଣ ନାହିଁକି
କହୁଅଛି ଏଣିକି ଯାଅ ତାର କତିକି
ବୋଲିବ ଏହି ପରି କର ପରା ପ୍ରୀତିକି । ୪ ।

ଏଣିକି ମୋହନ ତାକୁ ଆଉ କି ନ ଲୋଡ଼ିବ
ମତିକି ଯେ ଆସେ ତାହା ତେତେବେଳେ କରିବ ।
(ପଡ଼ି)
ଭାଷେ ବ୍ରଜବଲ୍ଲଭ ବ୍ରଜେ ବୋଲନ୍ତି ଦୂତୀ
ବୋଲେ ମୋ ତୁଲେ ଚାଲ ଥିଲେ ତା ଠାରେ ମତି
ସେ ନବରଙ୍ଗୀ ଭଙ୍ଗୀ ଦେଖିବାରୁ ବରତି
ପାରିବଟିକି ସହି ନ ଆସୁଛି ସୁମତି ହେ । ୫ ।