Radhe Ananga Ranga Ranaku

ରାଧେ ଅନଙ୍ଗ ରଙ୍ଗ ରଣକୁ
(Kabisurjya— Raga Gujjari, Tala Tripata)
(କବିସୂର୍ଯ୍ୟ— ରାଗ ଗୁଜ୍ଜରୀ, ତାଳ ତ୍ରିପଟା)

ରାଧେ ଅନଙ୍ଗ ରଙ୍ଗ ରଣକୁ ଆଜ ସାଜରେ
ରାଜବଦନ ମୋଜ ସଖୀ ସମାଜରେ
ମନୁ ଲାଜ ତେଜ ହାଜର କରି
ତାଜ ଧରି ବିରାଜ ଆଜରେ । ଘୋଷା ।

ମଞ୍ଜୁଳତର କୁଞ୍ଜନିଳୟ ମଣ୍ଡ ଆଦରେ
କଞ୍ଜ କୁସୁମ ଗଞ୍ଜନ କମନୀୟ ପାଦରେ
ଅଞ୍ଜନ ରୁଚିପୁଞ୍ଜ ବିହଦ ପଞ୍ଜରନିଭ
କୁଞ୍ଜରେନ୍ଦ୍ର ରଞ୍ଜନଗୁଣ ଗର୍ବିତ ମତ ନିର୍ବିବାଦରେ । ୧ ।

କୁନ୍ଦ ସଦୃଶ ସୁନ୍ଦରତର ମନ୍ଦହାସିରେ
ଶ୍ରୀଚନ୍ଦନ ଘନସାର ସକଳ ବୃନ୍ଦା ବାସରେ
ନନ୍ଦନିଳୟ ଚନ୍ଦ୍ରମୁଖ ପସନ୍ଦ ସୁଅରବିନ୍ଦ
ସୂନ ନିର୍ଗତ ମକରନ୍ଦର ହୁଅ ଯା ପିପାସୀ ରେ । ୨ ।

ମୁଞ୍ଚ ସୁଦନ୍ତି ରଞ୍ଜନ ନିଶୀ ରଚ ଖେଳରେ
ଆକୁଞ୍ଚିତ ଭୂରୁଭଙ୍ଗୀଜିତ ବିରଚ କୁଳରେ
ଚଞ୍ଚଳ ନୟନାଞ୍ଚଳ ମିଶା ସଞ୍ଚିତ ମଦ ଚଞ୍ଚରୀକ
ସଞ୍ଚରୁ ନବ କାଞ୍ଚନନିଭ ଚାରୁ ଚେଳରେ । ୩ ।

ଶାନ୍ତ ରସ ପିଚିଣ୍ଡିଳ ମତି ମନ୍ତ୍ରପାଳିରେ
ସୀମନ୍ତ ମଣି ସୁକୁନ୍ତଳ ମତି ତୁଟି ଆଳିରେ
ଦନ୍ତକ ତୃଣବନ୍ତ କରୁ ନିରନ୍ତର ସେ ଦୁରନ୍ତ
କାମକୁନ୍ତ ସଦୃଶ ପାଣିରୁହ ନିତାନ୍ତ କେଳିରେ । ୪ ।

ବାରଣଗତି ହାରରେ କୁଚଭାର ମଣ୍ଡରେ
ନିକାଲ ମୁଦିରବାରତନୁରୁ ମାର ଦଣ୍ଡରେ
ଆରକତ ସୁସାରସ ବାର ବାର ବିଜୟୀ ସାରପଦ
ଦ୍ୱନ୍ଦ୍ୱକୁ ଦ୍ରବି ବନ୍ଦଇ କବି ମାରତଣ୍ଡରେ । ୫ ।