(ଲକ୍ଷ୍ମୀନାରାୟଣ ଦେବ— ରାଗ ପୁନ୍ନାଗ, ତାଳ ଯତି)
ମନା ହେଲାନି ସଜନୀ
ହରି ତୁମ୍ଭ ପ୍ରୀତି ଘେନି । ଘୋଷା ।
ସହଚରୀ ସଙ୍ଗେ ବୃନ୍ଦାବନକୁ
ସୁମନେ କୁସୁମ ତୋଳିଯିବାକୁ
ପରସନ୍ନ ମୁଖ ଦରପଣେ ଦେଖି
ମୃଗମଦ ଘେନିବାକୁ । ୧ ।
ନୀଳ ନାୟକ ଭୂଷଣମାନଙ୍କ
ମରକତ ଚୂଡ଼ି ଲାଗି ହେବାକୁ
କଳାଧଡ଼ୀ ପଡ଼ି ଶାଢ଼ୀକି ସଜାଡ଼ି
ନିତି ନିତି ପିନ୍ଧିବାକୁ । ୨ ।
ଅଶିତ ବରନ ଫୁଲଗଡ଼ାକୁ
ସାଜି କବରୀ ମଣ୍ଡନ ହେବାକୁ
ଅଶନ ବସନ ନ ରୁଚଇ କିଛି
ତୁମ୍ଭ ସଙ୍ଗ କାମନାକୁ । ୩ ।
ଲକ୍ଷ୍ମୀ ନାରାୟଣ ଭୀମଦେବକୁ
ଗୋଚର ପଚାର ଏ ବିଧାନକୁ
କେତେ ପରାଭବ ସାରିବଦନରୁ
ତୁମ୍ଭ ନାମ ଶୁଣିବାକୁ । ୪ ।