Priti Priti Bolu Sahi

ପ୍ରୀତି ପ୍ରୀତି ବୋଲୁ ସହି
(Ramakrusna— Raga Todi, Tala Ekatali)
(ରାମକୃଷ୍ଣ କବିଚନ୍ଦ୍ର— ରାଗ ତୋଡ଼ି, ତାଳ ଏକତାଳି)

ପ୍ରୀତି ପ୍ରୀତି ବୋଲୁ ସହି ପ୍ରୀତି କେ ଜାଣଇ ଗୋ
ଯେତେ ପ୍ରୀତି ବୋଲୁ ସଖି ମନେ ନ ଆଣଇଁ ଗୋ । ଘୋଷା ।

ଚନ୍ଦ୍ର କୁମୁଦ ପ୍ରୀତିରେ କରୁ ଯେ ପ୍ରଶଂସା
ଚନ୍ଦ୍ର ତେଜ ନାଶ ଯାଇ ହେଲେ କୁହୁ ନିଶା ରେ ।
(ପଡ଼ି)
କୁମୁଦ ପ୍ରଫୁଲ୍ଲ ନୁହଁନ୍ତା ଯେବେ
ପ୍ରୀତି ବୋଲିବାକୁ ଲେଖନ୍ତି ତେବେ
ଏହିପରି ଯେତେ ପ୍ରୀତିଆ ଥିବେ
ଯେ ଜାଣଇ ପ୍ରୀତି ସେ ନ ହସିବେ । ୧ ।

ଅରୁଣ ଅମ୍ବୁଜ ପ୍ରୀତି ବୋଲୁଥାଇ ଭଲ
ଜଳୁ ନେଇଁ ଥରେ ତାକୁ ସ୍ଥଳରୁ ଥୋଇଲ ଗୋ ।
(ପଡ଼ି)
ଅରୁଣ ଯେବେ ତାକୁ ନ ଦହିବ
ପ୍ରୀତି ବୋଲି ସିନା ତାକୁ ଲେଖିବ
ଯେବେ ତା କିରଣେ ଶୁଖି ସେ ଯିବ
ପ୍ରୀତି ବୋଲି କିମ୍ପା ତାକୁ ଗାଇବ । ୨ ।

ଜଳ ମୀନ ଚକ୍ରବାକ ପ୍ରୀତିକି ନ ଭାଷ
ସେ ଦେଖୁଁ ଏ ରଖେ ପ୍ରାଣ ଏ ଦେଖୁଁ ସେ ନାଶ ।
(ପଡ଼ି)
ଆହୁରି କଥାଏ କହିବି ସଖି
ସୁଧା ରଜନୀକି ପ୍ରୀତିରେ ଲେଖି
ବେଳେ ବେଳେ ବେନି ବର୍ଣ୍ଣ ଉପେକ୍ଷି
ଏକା ବର୍ଣ୍ଣ ହୋଇ ବୋଲନ୍ତି ସଖି । ୩ ।

ପ୍ରୀତି କଲେ କରୁଥିବ ଯେହ୍ନେ ନୀର କ୍ଷୀର
ଅଗ୍ନି ମୁଖେ କ୍ଷୀର ଦେଇ ନାଶ ହୋଏ ନୀର ଗୋ ।
(ପଡ଼ି)
ନୀର ନ ଦେଖି କ୍ଷୀର ଆର୍ତ୍ତ ହୋଇ
ଉଚ୍ଛୁଳି ଅଗ୍ନି ଭିତରେ ପଶଇ
ପୁଣି ଜଳ ତହିଁ ଦେଲେ ମିଶାଇ
ନିଶ୍ଚଳ ହୁଏ ତା ସଙ୍ଗକୁ ପାଇ । ୪ ।

ପ୍ରୀତି କଲେ ଝୁରୁଥିବ ପ୍ରୀତି ଦୁର୍ଲ୍ଲଭ
ନୋହିଲେ ନୋହିବ ହଟହଟାରୁ କି ଲାଭ ଗୋ ।
(ପଡ଼ି)
ସାଜୁଥିବ ଦେହ ତା ସୁଖ ପାଇଁ
ବିକିଥିବ ମନ ପ୍ରାଣକୁ ସହି
ଶ୍ରୀମତୀ ବୋଲନ୍ତି ପ୍ରେମଟି ଏହି
ରାମକୃଷ୍ଣ କବି ଚନ୍ଦ୍ରମା କହି । ୫ ।