Mo Krusna Chandrama Pari

ମୋ କୃଷ୍ଣଚନ୍ଦ୍ରମା ପରି
(Gopalakrusna— Raga Paraja, Tala Adatali)
(ଗୋପାଳକୃଷ୍ଣ— ରାଗ ପରଜ, ତାଳ ଆଡ଼ତାଳି)

ମୋ କୃଷ୍ଣଚନ୍ଦ୍ରମା ପରି ଆନଟି କେ ଅଛି ସରି ମା । ଘୋଷା ।

ରତ୍ନ ଚିନ୍ତାମଣି ମୋର ତ୍ରିଭୁବନ ଅଳଙ୍କାର
ଦୁଃଖୀର ସଙ୍ଖାଳି ଦରିଦ୍ରର ଧନ ମୋ ଶ୍ରୀ ହରି । ୧ ।

ଝାଳରେ ତିନ୍ତି ଅଳକ ଲିଭିଯାଇଛି ତିଳକ
ସ୍ତନ୍ୟ ଦେଇ ମୁଖ ବାସେ ପୋଛି ଭାଷେ ବ୍ରଜେଶ୍ୱରୀ । ୨ ।

ଖେଳୁଥିଲୁ କାହା ଘରେ ଧୂଳି ପୂରିଛି ଦେହରେ
ଦେଖାଟି ମାଇଁକି ମୋର ବାବୁ ତୋ ବଦନ ଶିରୀ । ୩ ।

ଦେଖ କାହିଁ ନାହିଁ କିଛି ଉଦର ବଳି ହେଉଛି
ମୂଢ଼ ପଣେ ମୁଁ ରହିଲି ତେଣେ ଗୃହକୃତ୍ୟ କରି । ୪ ।

ତୁମ୍ଭର ଆଶୀଷ ପାଇ ଥାଉ ଚିରଞ୍ଜିବୀ ହୋଇ
ବୋଲି ମୁଖେ ମୁଖ ଦେଇ ଚୁମ୍ବନ୍ତି କାଖରେ ଧରି । ୫ ।

କାହିଁ ରହିଥିଲୁ ଯାଇ ମୋତେ ମନେ ନ ପକାଇ
ବୋଲଇ ଗୋପାଳକୃଷ୍ଣ ଖେଳରେ ଦେଲେ ପାଶୋରି । ୬ ।