(ଯଦୁମଣି— ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଆଡ଼ତାଳି)
ବ୍ରଜବଲ୍ଲଭ ବୃନ୍ଦ ନାୟକ ହେ
ପ୍ରଣତ ସର୍ବ ସୁଖ ଦାୟକ ହେ
ବଲ୍ଲବ ରାଜକୁମାର ବୃନ୍ଦା ଅରଣ୍ୟର ମାର
ବ୍ରଜେଶ୍ୱରୀଙ୍କ ଦୁଃଖ ତ୍ରାୟକ ହେ । ଘୋଷା ।
ସ୍ଫୁଟ ସରସୀରୁହ ଲୋଚନ ହେ
ଅଖିଳ ଭବ ଭୟ ମୋଚନ ହେ
ସ୍ୱପରିବାର ସମୂହ ପାଳିତ ସୌମ୍ୟ ବିଗ୍ରହ
କୁଞ୍ଜେଶ୍ୱରୀ ପଦାବ୍ଜ ଅର୍ଚ୍ଚନ ହେ । ୧ ।
ନବ ତରୁଣ ନବ ନାଗର ହେ
ନଟ ତିଳକ ରସସାଗର ହେ
ନୟନ ଆନନ୍ଦ ଘନସୁନ୍ଦର ଶ୍ରୀ ଅପଘନ
ନୀଳେନ୍ଦୀବର ନେତ୍ର ଧାରକ ହେ । ୨ ।
ରସିକା କୁଳ ପରିହାସକ ହେ
ରାସ ବିଳାସ ମୃଦୁ ଲାସ୍ୟକ ହେ
ରମଣୀୟ ଲଳିତାଙ୍ଗ ଅନଙ୍ଗ ତରଙ୍ଗ ରଙ୍ଗ
ରହସ୍ୟାମୃତ ଭାଷା ଭାଷକ ହେ । ୩ ।
ତପନ ସୁତା ତଟ ସନ୍ନଟ ହେ
ଶକଟ ଭଞ୍ଜା ରତି ଲମ୍ପଟ ହେ
ତପୀ ମାନସ ହଂସ ତୃଣାବର୍ତ୍ତାଦି ଧ୍ୱଂସ
-କାରକ ମୁରଲୀକା ବାଦକ ହେ । ୪ ।
ଶିଖୀ ଶିଖଣ୍ଡ ପରିଲାଞ୍ଚିତ ହେ
କର ଚିକୁର ଗଭା କୁଞ୍ଚିତ ହେ
ଶ୍ରୀମତୀ ସ୍ତନ ହେମ କୁମ୍ଭ ଯୁଗ ସୁଷମ
ମର୍ଦ୍ଦନକାରୀ ସୁଖ ବାଞ୍ଛିତ ହେ । ୫ ।
ମଧୁଦ୍ୱିଷ ମଦନ ଗୋପାଳ ହେ
ମହା ନାଗର ରସ ଭୂପାଳ ହେ
ମଧୁ ସୁବଳ ଦାମ ସଙ୍ଗିଆ ପୂର୍ଣ୍ଣକାମ
ବାମ ଦକ୍ଷ ଶ୍ୟାମ କାମପାଳକ ହେ । ୬ ।
ଯଦୁନନ୍ଦନ ଜଗଦ୍ବନ୍ଦନ ହେ
ଯାମଳାର୍ଜ୍ଜୁନ ତରୁ ଭଞ୍ଜନ ହେ
ଖେଦ ଯଦୁମଣିର ହର ଯାଦବ ବୀର
ଶୋକ ପାପ ତାପ ବିମର୍ଦ୍ଦନ ହେ । ୭ ।