Anukampa Dhari Hari

ଅନୁକମ୍ପାଧାରୀ ହରି
(Jadumani— Raga Natanarayana, Tala Jhampa)
(ଯଦୁମଣି— ରାଗ ନଟନାରାୟଣ, ତାଳ ଝମ୍ପା)

ଅନୁକମ୍ପାଧାରୀ ହରି ହର ମୋହର ଆତଙ୍ଗ
ଦନୁଜାରି ଚକ୍ରାୟୁଧ ହେ ଶିରୀପତି ଶ୍ରୀରଙ୍ଗ । ଘୋଷା ।

କୁଞ୍ଜରବର ତାରଣ କୁଞ୍ଜର ମତ୍ତ ବାରଣ
କୁଞ୍ଜର ନାଶକ ଗୁଞ୍ଜ ଆବଳୀ ଭୂଷିତ ଅଙ୍ଗ । ୧ ।

ବାସବର ଗର୍ବଗଞ୍ଜା ଯାମଳା ଅର୍ଜ୍ଜୁନ ଭଞ୍ଜା
ଗୋପିନୀ ମାନସ ରଞ୍ଜା ଶ୍ରୀ ବୃନ୍ଦାରଣ୍ୟ ଅନଙ୍ଗ । ୨ ।

ଉରଦେଶ ଧଳା କଳା ବଳାହକ କାନ୍ତି କଳା
-ବତୀ ଶ୍ରୀ ଭାନୁଜା ଗଳାମାଳା ଧାରକ ସାରଙ୍ଗ । ୩ ।

ବଇକୁଣ୍ଠ କଣ୍ଠୀରବ ତବ ମହିମା ପ୍ରଭାବ
ଦେଖାଅ ନ କରି ଲବ ଅବହେଳା ମଣିଖଙ୍ଗ । ୪ ।

ବିପତି ପତି ବିପତ୍ତି ବେଳକୁ ଉତ୍ପତ୍ତି ଅତି
କି ପତିଆରା ମୋ ଆଉ ଗ୍ରାସୁଛି କାଳ ଭୁଜଙ୍ଗ । ୫ ।

ପ୍ରପନ୍ନ ଯଦୁମଣିର ଯଦୁମଣି ବାଧା ଘୋର
ପ୍ରସନ୍ନେ ହରି ପଦାବ୍ଜେ ରଖ କରି ମତ୍ତ ଭୃଙ୍ଗ । ୬ ।