(ଯଦୁମଣି— ରାଗ ତୋଡ଼ିପରଜ, ତାଳ ଆଡ଼ତାଳି)
କୀରଜିତ ଗିର ପଦକ ଶୁଣା ରେ ହୀରକ ଦଶନା ବାଳା
କୀରତି ରଖାଅ ଏ ମହୀ ମଣ୍ଡଳେ ଆରେ ପୀରତି ବତ୍ସଳା । ଘୋଷା ।
ଧୀରଗତି ନବ ନୀରଦ କୁନ୍ତଳା ଚିର ଆଶ୍ରିତ ମୁଁ ତୋର
ନିରସ ବଦନ କରି ଯା ବସିଛୁ ଶିର ପୋତି ଅବନୀର । ୧ ।
କ୍ଷୀର ଖଣ୍ଡ ମିଶା ତୋ ମଧୁର ଭାଷା ଶୁଣା ଏ ରୁଷଣା ମୁଞ୍ଚି
ଦ୍ୱିରଦ କୁମ୍ଭ ଉରଜା ନାରୀରାଜା ବ୍ୟର୍ଥେ ତୁ ନ ବସ ଘୁଞ୍ଚି । ୨ ।
ନୀରଜ ନୟନୁ ନୀର ଧାର ହାର ପରେ ଆଉ ନ ବରଷା
ଚିର ଶୋଭୀ ଘେନ ଅନୁନୟ ମୋର ତୋ ବିନେ କେ ବା ଭରସା । ୩ ।
ଚରଣ ଦଶନେ ଧରି ମୁଁ ମାଗୁଛି ଗୁମାନୀ ହୁଅ ନା ଧନ
ବୀର ମାରକୁ ହଟାଅ ହରିମଧ୍ୟା ଦେଇ କେଳାତି ବର୍ତ୍ତନ । ୪ ।
ତିରସ୍କାର କଲେ କର ସେ ମୋ ସୁଖ ଆରେ ମଦାଳସା ମଣି
ଭୀରସେନ ଭାସୁ ଆଶୁତୋଷ ମୋହୀ ସଦାଧୀନ ଯଦୁମଣି । ୫ ।