Sagara Suta Bara Nagara

ସାଗରସୁତା ବର ନାଗର
(Jadumani— Raga Malagujjari, Tala Athatali)
(ଯଦୁମଣି— ରାଗ ମାଳଗୁଜ୍ଜରୀ, ତାଳ ଆଠତାଳି)

ସାଗରସୁତା ବର ନାଗର ଅରି ଧର
ଆଗରେ ମାଗ ବର ମାନସରେ
ନାଗର ଜାଳ ହର ତ୍ୟାଗର ନରବର
ରାଗରେ ଆଗସରି ଯା ରସରେ । ଘୋଷା ।

ଶରଣ ଜନ ଦୁଃଖହରଣ କର୍ତ୍ତା ସୁଖ
ଭରଣଦ ଶ୍ରୀମୁଖ ସାରସରେ
କ୍ଷରଣ କୃପା ସୁଧା ବାରଣବର ବାଧା
କାରଣ ଜଣା ତାର ପାରଶ୍ୱରେ । ୧ ।

ବୃନ୍ଦାରକ ବନ୍ଦନ ବୃନ୍ଦାରଣ୍ୟ ମଦନ
ଚନ୍ଦ୍ର ନନ୍ଦନନ୍ଦନ କୁଞ୍ଜେଶରେ
ବନ୍ଦ ଅନିଶେ ପଦ୍ମ ପଦ ଦ୍ୱନ୍ଦ ଆନନ୍ଦ
ଲଭିବୁ ପଦ୍ମ ସଦ୍ମ ଅବଶ୍ୟରେ । ୨ ।

ଧରିତ୍ରୀ ଧର ଧର ହରିଣୀ କଷ୍ଟ ହର
ଚରିତ ଗାନ କର ସରସରେ
କ୍ଷରି ସୁରସରିତ ପରିତ୍ରାଣ ଦାନିତ୍ୟ
ଯେ ପଦୁ ତଥି ହୁଅ ଅଳୀଶରେ । ୩ ।

ଶମନ ତମ କମ ହେବ ତୁଟିବ ଭ୍ରମ
ତମ ଗ୍ରାମ ବର୍ଜି ତୁ ହରଷରେ
ରମଣୀୟ ଶ୍ରୀନାମ ଭଜନେ ହୁଅ କ୍ଷମ
ଶ୍ରମ ଜଞ୍ଜାଳେ ଲବେ ନ ରସରେ । ୪ ।

ଅଣିମାଦି ଶ୍ରୀ ସୁଖ ପଶିବା ମଣିମାଙ୍କ
ଭୃତ୍ୟରେ ଗଣି ହୁଅ ଅନିଶରେ
ଭଣି ତା ଯଦୁମଣି ବାଣୀ ଆନ ନ ମଣି
ବଣିଜ କର ପଦ ସାରସରେ । ୫ ।