Ojasila Bhoja Gaja

ଓଜଃଶୀଳ ଭୋଜ ଗଜ
(Jadumani— Raga Panchama Baradi, Tala Khemata)
(ଯଦୁମଣି— ରାଗ ପଞ୍ଚମ ବରାଡ଼ି, ତାଳ ଖେମଟା)

ଓଜଃଶୀଳ ଭୋଜ ଗଜ ଜୀବନ ହରଣେ ତେଜ
ଅର୍ପଣ କଲ କୃପଣ ନୋହି
ଗଭୀର ଜଳେ କୁମ୍ଭୀର ଗଳ ଗ୍ରହଣେ କୁମ୍ଭୀର
ଜୀବ ରକ୍ଷା କଲ କକ୍ଷା ବହି ହେ
ନୀଳାଚଳ କଳାକର
ସତ କି ଏ ମିଛ
ନେଲ ଯାହା ଦେଲ ତାହା ଏଥକୁ କିମ୍ପାଇଁ ମହା
ଦାତାପଣେ ପତାକା ବାନ୍ଧିଛ ହେ । ୧ ।

ବଳି ବଳିଷ୍ଠ ବାଳିକି ଅକଳିତ ବିଭୂତିକି
ଦଳିତ କରରେ କରିଥିଲ
ନ ମାନି କରି ରମାକୁ ଅକିଞ୍ଚନ ସୁଦାମାକୁ
ବିପୁଳ ସମ୍ପଦେ ମଣ୍ଡିଦେଲ ହେ
ନୀଳାଚଳ କଳାକର
ସତ କି ଏ ମିଛ
ନେଲ ଯାହା ଦେଲ ତାହା ଏଥକୁ କିମ୍ପାଇଁ ମହା
ଦାତାପଣେ ପତାକା ବାନ୍ଧିଛ ହେ । ୨ ।

ଗୋକୁଳ କଳଧଉତ ଗଉରାଙ୍ଗୀଙ୍କ ମହତ
ନେଇଥିବା ସକାଶରୁ କରି
ଦ୍ରୁପଦ ନୃପନନ୍ଦନା ମହତ ହର ବେଦନା
ବିନାଶନେ ହେଲ ଧନ୍ୱନ୍ତରୀ ହେ
ନୀଳାଚଳ କଳାକର
ସତ କି ଏ ମିଛ
ନେଲ ଯାହା ଦେଲ ତାହା ଏଥକୁ କିମ୍ପାଇଁ ମହା
ଦାତାପଣେ ପତାକା ବାନ୍ଧିଛ ହେ । ୩ ।

ପାତକୀ ମୁକୁଟ ଶ୍ରେଣୀ ଶିରୋମଣି ଯଦୁମଣି
ମନ ତିଳେ ନେଇ ନ ପାରିବ
ଏହା ଉଦ୍ଧାରଣେ ଯେବେ ଚିତ୍ତ ଦେଇ ପାର ଲବେ
ତେବେ ସିନା ଦାତା ବୋଲାଇବ ହେ
ନୀଳାଚଳ କଳାକର
ସତ କି ଏ ମିଛ
ନେଲ ଯାହା ଦେଲ ତାହା ଏଥକୁ କିମ୍ପାଇଁ ମହା
ଦାତାପଣେ ପତାକା ବାନ୍ଧିଛ ହେ । ୪ ।