(ଯଦୁମଣି— ରାଗ ସାରଙ୍ଗ, ତାଳ ଝୁଲା)
ରଚିଥିଲା ଏହା ବିରଞ୍ଚି
ବିପଞ୍ଚୀ ଗିରାକୁ ଅଇଲି ମୁଞ୍ଚି
କୁଞ୍ଚିତ ମୋ ତପ ସଙ୍କୁଚିତ ହେଲା
କୁଚିତ୍କାରେ ଯାହା ଆସିଲି ଘୁଞ୍ଚି । ଘୋଷା ।
ଯାଚିଲି ମୁଁ ତାକୁ ପୁରୁଷାୟିତ
ସୁଚିତ୍ତରେ ଦେଲା ହସି କିଞ୍ଚିତ
ରଞ୍ଚିଥିଲା ତାହା ସେ ମୃଣାଳବାହା
ଏବେ ଏ କାଳରେ ଥିବ କି ବଞ୍ଚି । ୧ ।
ରୁଚିତଦେହାର ମୁକୁତା ହାର
ଛିଞ୍ଚିବଣି ଗଳୁ ହୋଇ ବାହାର
ଖଚିତ ଭୂଷଣ ହେବଣି ଦୂଷଣ
ରଖିଥିବ ତାହା ପୂରୁବୁଁ ସଞ୍ଚି । ୨ ।
ନିଶି ଦିବସରେ ଲୋତକ ମୁଞ୍ଚି
ମୁଞ୍ଚି ଦେଉଥିବ ଧରାରେ ବିଞ୍ଚି
ନବଦୁର୍ଗେଶ୍ୱର ଭଣିଲା ଏ ଗିର
ଫେଡ଼ିବ ସେ ଦୁଃଖ ଯାଇ ପହଞ୍ଚି । ୩ ।