Snehadhina Tu Mo Kantha Tata

ସ୍ନେହାଧୀନା ତୁ ମୋ କଣ୍ଠତଟ
(Jadumani— Raga Madhusri, Tala Jhula)
(ଯଦୁମଣି— ରାଗ ମଧୁଶ୍ରୀ, ତାଳ ଝୁଲା)

ସ୍ନେହାଧୀନା
ତୁ ମୋ କଣ୍ଠତଟ ଜମ୍ବୁନଦ ସୁନା ମୀନାରେ । ଘୋଷା ।

ଯେତେବେଳେ ପାଶେ ଆସୁ ମନ୍ଥର ଗମନେ
ମୁଁ ବିଚାରେ କି ସୁକୃତେ ଦେବ ଦରଶନେ ରେ । ୧ ।

ଯେତେବେଳେ ଗୀତ ଗାଉ ସଙ୍ଗୀତ ପ୍ରବୀଣା
ମୁଁ ବିଚାରେ ବାଜୁଛିକି ସରସ୍ୱତୀ ବୀଣା ରେ । ୨ ।

ଯେତେବେଳେ ହସି ଦେଉ ମୁରୁକି ମୁରୁକି
ମୁଁ ବିଚାରେ ଚନ୍ଦ୍ରମାରୁ ସୁଧା ଝରୁଛି କି ରେ । ୩ ।

ଯେତେବେଳେ ଚାହିଁଦେଉ କରୁଣା କଟାକ୍ଷେ
ମୁଁ ବିଚାରେ ଏହି ମୋ ପୁନିଅଁ କୋଟି ଲକ୍ଷେ ରେ । ୪ ।

ଯେତେବେଳେ ଧନ ମୋର ଅଙ୍କେ ବସିଥାଉ
ମୁଁ ବିଚାରେ ଇନ୍ଦ୍ରପଦେ କିବା କାର୍ଯ୍ୟ ଆଉ ରେ । ୫ ।

ବଦତି କୁଞ୍ଜବିହାରୀ ସିଂହ ମର୍ଦ୍ଦରାଜ
ତୋ ଗୁଣ କି ପ୍ରଶଂସିବି କି କରିଟି ଆଜ ରେ । ୬ ।