(ଯଦୁମଣି— ରାଗ ବସନ୍ତ ବରାଡ଼ି, ତାଳ ଝୁଲା)
ସୁଲକ୍ଷଣା ଫୁଲଦେହୀ ରେ
ତୁଲରେ ତୋ ପରା ନାହିଁ କେହି ରେ
ଭୁଲ କରିଦେଉ ଯତିତତି ମତି
ଅତି ବିଚକ୍ଷଣା ରତି ସ୍ନେହୀରେ । ଘୋଷା ।
ନୂତନାରେ ସୁରସବତୀ
ତୁ ତ ମୋ ନୟନ ସମ୍ପତ୍ତି
ଦୂତ ବସନ୍ତର ତୋ ମୃଦୁ ବାଣୀକି
ଶୁଣି ଲାଜେ କେବେ ଥୟ ରହିରେ । ୧ ।
ହରିମଧ୍ୟା ଦରିଦ୍ରନିଧି
କରୀବର ଗତି ସନ୍ନିଧି
ପରିକର ପରି କରରେ କରକ
ରଦନା ନିକର କର ଶୋହୀରେ । ୨ ।
ବାସବର ଭୂତିଦାୟିନୀ
ଆଶ ମୋର ନ ନାଶ ଧନୀ
କାଶହାସ ପରକାଶ ପରତ୍ରାସ
ନାଶ ଭଜୁ ଆସ ଅଙ୍କେ ସହିରେ । ୩ ।
ସରସରେ ତୁ ହରଷରେ
ସର ସାରସଜିତ କରେ
କର ଥରେ ପରିରମ୍ଭଣ ଆରମ୍ଭ
ତରକରେ ଯଦୁମଣି କହିରେ । ୪ ।