Dekha Sakhi Kede Sobha

ଦେଖ ସଖି କେଡ଼େ ଶୋଭା
(Bhrungabara RayaEkatali)
(ଭୃଙ୍ଗବର ରାୟଏକତାଳି)

ଦେଖ ସଖି କେଡ଼େ ଶୋଭା ନନ୍ଦନନ୍ଦନ ଗୋ
ଧୀରେ ଧୀରେ କରେ ଗତି ମତି ମୋହନ ଗୋ । ଘୋଷା ।

ହୋଇ ନଟବର ବେଶ କଟି ତଟେ ପୀତବାସ
ସୁରଭି ରେଣୁ ଶ୍ରୀଅଙ୍ଗେ ଦିଶେ ଶୋଭନ ଗୋ । ୧ ।

ଭୂଷଣ କେକୀ ପୁଚ୍ଛରେ ଗୋପ ଗୋବତ୍ସା ପଛରେ
ଆସେ କି ଆଶେ ଧରଣୀ କରି ମଣ୍ଡନ ଗୋ । ୨ ।

ଅଧରେ ମୁରଲୀ ଦେଇ ମଧୁରେ ଧ୍ୱନି କରଇ
ପତିବରତା ବରତ ହେବ ଖଣ୍ଡନ ଗୋ । ୩ ।

ଅସ୍ଥିର ହେଉଛି ଦେହ ଏ ଶୋଭା ଚାହିଁ ବିଦେହ
ଶରେ କେ ନୋହିବ ମୋହ କହ ବହନ ହେ । ୪ ।

ଭୃଙ୍ଗବର ରାୟ କହି ତୁ ଅଛୁ ଏକା ସୁମୁହୀଁ
କହି ଶ୍ରୀ କୃଷ୍ଣ ବିଜୟେ ନିଜ ସଦନ ଗୋ । ୫ ।