Ase Ki Range Dhali

ଆସେ କି ରଙ୍ଗେ ଢଳି
(Bhrungabara Raya— Raga Mangala Gujjari, Tala Khemata)
(ଭୃଙ୍ଗବର ରାୟ— ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଖେମଟା)

ଆସେ କି ରଙ୍ଗେ ଢଳି ରସ ରଙ୍ଗିନୀ ରେ
ହୁଅନ୍ତା କି ଏ ମୋ ପ୍ରାଣ ସଙ୍ଗିନୀ ରେ । ଘୋଷା ।

ସେ ନବରଙ୍ଗିନୀ ବର କୁନ୍ଦନ ଅଙ୍ଗିନୀ
ଯୋଗେଶ ଯୋଗ ଭଙ୍ଗିନୀ ଚାରୁ ଭ୍ରୂଭଙ୍ଗିନୀ । ୧ ।

ବାଳାର ଚାତୁର୍ଯ୍ୟ ଭଙ୍ଗୀ କନ୍ଦର୍ପ କତୁରୀ
ସିଦ୍ଧ ବ୍ରହ୍ମଚାରୀ ଧୈର୍ଯ୍ୟ ଦେବ ତ କତୁରି । ୨ ।

ଅନୁକ୍ଷଣେ ତା ତୀକ୍ଷଣ ଈକ୍ଷଣ ଅଞ୍ଚଳ
ବନୁ ବଣା ଏଣୀ ଚାହାଣୀରୁ ତ ଚଞ୍ଚଳ । ୩ ।

ଲାବଣ୍ୟ ରସନିଧିର ଭାବ ଚମତ୍କାର
ବିଲୋକନେ ଅଙ୍ଗେ ଜନ୍ମେ ମଦନ ବିକାର । ୪ ।

ପ୍ରିୟସଖି କରେ କର ଭାର ଦେଇ ରଙ୍ଗେ
କି କଥା ହୁଅଇ ସ୍ମିତ ହାସେ କି ପ୍ରସଙ୍ଗେ । ୫ ।

ଭଲା ସୁଯୋଗରେ ଭେଟ ପଡ଼ିଛି ଛଇଳୀ
କରନ୍ତି କି ତାକୁ ମୋର ଗଳା ସୁନାମାଳି । ୬ ।

କହେ ଭୃଙ୍ଗବର କୁଞ୍ଜବିହାରୀ କେଶରୀ
ରସିକ ରାଜ୍ୟେ ମୋ ତୁଲେ ହୁଅନ୍ତା କେ ସରି । ୭ ।