(କବିସୂର୍ଯ୍ୟ— ରାଗ ବିଭାସ, ତାଳ ଏକତାଳି)
ପ୍ରୀତି କରି କାହା ପାଶେ
ପୁହାଇଲ ନିଶା ତୋଷେ । ଘୋଷା ।
ପରିଣତ ବିମ୍ବ ଅଧରେ କାହାର
ରଦନ କ୍ଷତ ବିକାଶେ
ପଲ୍ଲବ ବିଜୟୀ କର କାହା କୁଚ
କୁଙ୍କୁମେ ଅଙ୍କିତ ଦିଶେ । ୧ ।
ପଡ଼ି କା ଚରଣେ ଶିଖଣ୍ଡ ମୁକୁଟ
ରଙ୍ଗ କଲ ଲାକ୍ଷା ରସେ
ପରିରମ୍ଭ କଲ କାହାର ବଳୟ
ଚିହ୍ନ ଦିଏ ବେନି ପାଶେ । ୨ ।
ପାଲଟ କରି କେଉଁ ସହଚରୀର
ଚିତ୍ତକୁ ସମ୍ଭ୍ରମେ ବାସେ
ପିନ୍ଧିଅଛି ନିଜ କଟିତଟେ ଆଜ
ଚାହିଁକି ସୁନ୍ଦର ଦିଶେ । ୩ ।
ପାନବୋଳା ଗଣ୍ଡେ ଲଲାଟେ ସିନ୍ଦୁର
ଲାଗି ତ ଅଛି ବିଶେଷେ
ପରୁଆ ନ କର ଚିତ୍ତରେ ତୁମ୍ଭର
ଜନାପବାଦକୁ ଲେଶେ । ୪ ।
ପ୍ରତି ଅଙ୍ଗ ଯାକ କି ଶୋଭା ଦିଶଇ
କରଜ କ୍ଷତ ବିଳାସେ
ପ୍ରେମଭରେ ହରିଚନ୍ଦନ ଭାବଇ
ସେ ରୂପ ନିଜ ମାନସେ । ୫ ।