Gumana Kariba Brutha Re

ଗୁମାନ କରିବା ବୃଥା ରେ
(Kabisurjya— Raga Gujjari, Tala Nihsari)
(କବିସୂର୍ଯ୍ୟ— ରାଗ ଗୁଜ୍ଜରୀ, ତାଳ ନିଃସାରୀ)

Ga Patala — Premodaya Champu
ଗ ପଟଳ — ପ୍ରେମୋଦୟ ଚମ୍ପୂ

ଗୁମାନ କରିବା ବୃଥା ରେ ସଙ୍ଗିନୀ
ଗୁମାନ କରିବା ବୃଥା
ଗତି ତ ନ ଥିବ ଘନଶ୍ୟାମ ବିନୁ
ଖଣ୍ଡିବାକୁ କାମ ବ୍ୟଥା । ଘୋଷା ।

ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ
ଯେଉଁ ଶିରୀମୁଖ ଦ୍ୟୁତି
ଗଲେ ଯିବ ପଛେ ଜୀବ ଆଉ ଥରେ
ଦେଖିବାକୁ ବଳେ ମତି । ୧ ।

ଗଗନ ମଣି ତନୟା ତଟଚାରୀ
ବାରିରୁହ ଚାରୁ ନେତ୍ର
ଗାଢ଼ ପରିରମ୍ଭ ବିନା ସଖି ଦମ୍ଭ
ଭଜି ପାରେ କି ମୋ ଗାତ୍ର । ୨ ।

ଗୁରୁ ହେଲାନି ପିନ୍ଧିବା ସରୁ ବାସ
ବାସରେ ନ ରହେ ମତି
ଗୋଟିଏ ବାସର କଳପ ମଣଇଁ
ଦେଖି ବାସନ୍ତୀକ ରୀତି । ୩ ।

ଗରଳ ପରି ଉପବନ ପବନ
ଲାଗୁଅଛି ମୋତେ ସଖି
ଗଲାଟି ଜୀବନ ଭଣେ ଜଗଦ୍ଦେବ
ଆଉ ନ ପାରେ ମୁଁ ରଖି । ୪ ।