(କବିସୂର୍ଯ୍ୟ— ରାଗ ବଙ୍ଗଳାଶ୍ରୀ, ତାଳ ଏକତାଳି)
ଲାଗିବାର ବାର ମୁଁ ଗହଣେ ଚନ୍ଦ୍ରମୁଖ ହେ
ମାଗିବାର ଏତେ ମାତ୍ର ଦିବ୍ୟ ଚିତ୍ତେ ରଖ ହେ । ଘୋଷା ।
ମୁଁ ତିନିଥର ଜଣାଉ ଅଛି କାଳଗତି ହେ
ଦୂତୀ ଖୁସାମତୀ ନ ଜାଣେ ସେ ମାନବତୀ ହେ ।
(ପଡ଼ି)
କାମର ଜୀବିକାଟି ସେ ପ୍ରବୀଣା
ତା ମରଜି ଏକା ତୁମ୍ଭଙ୍କୁ ଜଣା
ଆପଣ ତା ପଣ ସିନା କଳିବ
ତା ମନ ପୁଆଇ ପରିପାଳିବ । ୧ ।
ପେଟରେ ପୂରିଅଛି ଏ ପୁଟ ଭେଦନ ହେ
ବାରିଜାକ୍ଷ କେହି ଉପକାରୀ ନାହିଁ ଜନ ହେ
(ପଡ଼ି)
ଖୁଣ ଖୋଜୁଥିବେ ରଜନୀ ଦିବା
ଗୁଣ ଗ୍ରହଣ କେ କରୁଛି ଅବା
କଲା ଭଗତୀକି କଣ୍ଠ ଭାଗରେ
ଭଲ ଭଲ ବୋଲୁଥିବେ ଆଗରେ । ୨ ।
କିଶୋରୀ ସବୁରି ତୁଲେ ପ୍ରେମକୁ ମନାସେ ହେ
ଖଳ ଖେଳେ ତା ଠାରୁ ତୁମ୍ଭର ପ୍ରେମ ନାଶେ ହେ
(ପଡ଼ି)
ବନ୍ଧୁ ହେ ତା ଉଦୟ କେ ସହିବ
ଛାମୁରେ ତା ଆଗେ କେ କିସ ହେବ
କସ୍ତୁରୀ ଆଗେ କି ମୁସ୍ତକ ବାସେ
ଦୀପ କି ଦିଶଇ ମଶାଲ ପାଶେ । ୩ ।
ଊଣା ହେଲେ ତାହା ଠାରୁ ନାଥ ଗଉରବ ହେ
ଖଞ୍ଜନାକ୍ଷୀ ଯେବେ ନିକୁଞ୍ଜରେ ଫେରିଯିବ ହେ
(ପଡ଼ି)
କୋଟିନିଧି ଗୋଟି ହୋଇଲା ପରି
ନିରସ ମନରେ ହରଷ ଭରି
ବାଳୀକି ମୂରୁଖ ଆଳି ଗୁଆଳୀ
ଟାଳି ନ ଦିଅନ୍ତୁ ବଜାଇ ତାଳି । ୪ ।
ଯାହା ବାହା ଅମର ଭୂରୁହ ଅନାତପେ ହେ
ଅଛନ୍ତି ଅସଙ୍ଖ୍ୟ ଧେନୁ ବତ୍ସା ଗୋପୀ ଗୋପେ ହେ
(ପଡ଼ି)
ସେ ବାହୁତଳେ ଗୋଟିଏ କିଶୋରୀ
ସେବା ନ ପାଇ ଗଲା ଅପସରି
ଏପରି ପରିବାଦ ନ ପ୍ରସରୁ
ସରୁମଧ୍ୟାର ମନୁ ଚିନ୍ତା ସରୁ । ୫ ।
ଅହିନକୁ ନ ଯା ଲଜ୍ଜାନିଧି ଏ ସର୍ବଥା ହେ
କହି ଜଣାଇଲି ପ୍ରଭୁ ଆଗେ ନିଜ ବ୍ୟଥା ହେ
(ପଡ଼ି)
ଅହି ନକୁଳ ରୀତିରୁ ଡରଇ
ମହୀ ନଖରେ ନ ଚିରି ପାରଇ
ଇଷ୍ଟଙ୍କ ଅନୁମତି ଏକା ଜାଣେ
ଅଷ୍ଟଦୁର୍ଗ ମହୀମହେନ୍ଦ୍ର ଭଣେ । ୬ ।