(ବେଣୁଧର— ରାଗ ନଟସାରଙ୍ଗ, ତାଳ ପହପଟ)
ନନ୍ଦନନ୍ଦନ ବଦନ ଚନ୍ଦ୍ରମାକୁ
ଦେଖି ସଖି ବାଇ ହୋଇଲୁ କି ଗୋ । ଘୋଷା ।
ଘନବରନଙ୍କୁ ମନମୋହନା ତୁ
ହୃଦ ସମ୍ପୁଟରେ ଥୋଇଲୁ କି ଗୋ
ମନ ଛନ୍ନଛନ୍ନେ ନେତ୍ର ଥନଥନେ
ପ୍ରିୟ ସଖୀ କର ଧଇଲୁ କି ଗୋ । ୧ ।
ଅନବରତେ ତା ସନମତ୍ତ ପାଇଁ
ଯମୁନା ପାଣିକି ଧାଇଁଲୁ କି ଗୋ
ଜନ ଶୂନ୍ୟ ପଥେ ମନସିଜ ହାତେ
ଏତେ ପରାଭବ ପାଇଲୁ କି ଗୋ । ୨ ।
ଅନୁରାଗ ଛଳେ ବନୁ ଫୁଲ ତୋଳି
ଉପହାର ଦେବି ବୋଇଲୁ କି ଗୋ
ତନୁ ତା ତନୁରେ ମିଶାଇବା ପାଇଁ
ଧନୁ ଭୂରୁ ଚାଳି ଚାହିଁଲୁ କି ଗୋ । ୩ ।
ଭାନୁସୁତା କୂଳେ କେଳି ନୀପ ମୂଳେ
କାହ୍ନୁ ସ୍ନେହ ଭାଳି ହୋଇଲୁ କି ଗୋ । ୪ ।
ଦିନୁ ଦିନ ତୋର କି ନୂତନ ପ୍ରୀତି
କଳ୍ପଲତାକୁ ବଢ଼ାଇଲୁ କି ଗୋ
ମନୁ ପାଶୋରିବୁ ନାହିଁ ବେଣୁଧର
ବିନତିକି ମାନି ରହିଲୁ କି ଗୋ । ୫ ।