Jaya He Jaya Radha Syamasundara

ଜୟ ହେ ଜୟ ରାଧା ଶ୍ୟାମସୁନ୍ଦର
(Benudhara— Raga Khanda Bangalasri, Tala Pahapata)
(ବେଣୁଧର— ରାଗ ଖଣ୍ଡ ବଙ୍ଗଳାଶ୍ରୀ, ତାଳ ପହପଟ)

ଜୟ ହେ ଜୟ ରାଧା ଶ୍ୟାମସୁନ୍ଦର ମୂର୍ତ୍ତି ହେ
ଶ୍ରୀ ବୃନ୍ଦା କାନନ ପ୍ରେମ ଦମ୍ପତି । ଘୋଷା ।

କଷିତ ତପତ କାଞ୍ଚନ ବରନୀ
ନବ ଜଳଧର ଶ୍ୟାମଳ କାନ୍ତି
ବ୍ରଜବାସୀଙ୍କର ନୟନ ରଞ୍ଜନ
ଭକ୍ତମାନଙ୍କର ହୃଦ ସମ୍ପତ୍ତି ।
ଅଗତି ଗତି ରାଇ ଶ୍ରୀପତି
ଗୋଲକ ଶୋଭା ମଣ୍ଡିଲ ଧରିତ୍ରୀ । ୧ ।

ଶିରେ ଶିଖିପୁଚ୍ଛ ସୁମଞ୍ଜୁଳ ବେଣୀ
ଗଳେ ବନମାଳ ଶ୍ରୀ ବୈଜୟନ୍ତୀ
ନୀଳ ପୀତ ପଟ ଦିଶେ ଝଟ ଝଟ
ଅଧରେ ମୋହନ ମୁରଲୀ ଗୀତି ।
ଯୁଗଳ ଛାତି ଦର୍ଶନେ ଯତି
ଆନନ୍ଦ ସାଗରେ ନିମଜ୍ଜି ଯାନ୍ତି । ୨ ।

କାଳିନ୍ଦୀର କୂଳେ କେଳି ନୀପ ମୂଳେ
ବିଜୟେ ବେଷ୍ଟିତା ବ୍ରଜ ଯୁବତୀ
ଯୁଗଳ ଚରଣ ଛନ୍ଦିବା ମାଧୁରୀ
ଆହା କି ସୁନ୍ଦର ମଧୁର ଗତି ।
ସଖୀଙ୍କ ପ୍ରତି ମଞ୍ଜୁ ଭାରତୀ
ଭାଷିବାର ଆହା କୋମଳ ଅତି । ୩ ।

ଯେ ଯାହାର ସେବା ବିଧାନେ ଖଟିବା
କି ଅପୂର୍ବ ଭାବ ହୃଦେ ଆଣନ୍ତି
ମଞ୍ଜରୀ ନିକର ମଧ୍ୟେ ବେଣୁଧର
ସେବିବ କି ସତେ କରି ବିନତି ।
ଶ୍ରୀ ଗୁରୁ ଉକ୍ତି ମାନସେ ଚିନ୍ତି
ଲଭିବ କି ଅନ୍ତେ ବ୍ରଜ ବିଭୂତି । ୪ ।