Jaya Jagajjana Hitakari

ଜୟ ଜଗଜ୍ଜନ ହିତକାରୀ
(Benudhara— Raga Gujjari, Tala Ekatali)
(ବେଣୁଧର— ରାଗ ଗୁଜ୍ଜରୀ, ତାଳ ଏକତାଳି)

ଜୟ ଜଗଜ୍ଜନ ହିତକାରୀ ହେ ପ୍ରଭୁ
ଶ୍ରୀ ନୀଳାଚଳ ବିହାରୀ । ଘୋଷା ।

ଦୈତ୍ୟକୁଳ ବିନାଶକାରୀ
ନାମ ବହିଅଛ ଦଇତ୍ୟାରି
ଶଙ୍କାସୁରକୁ ହେଳେ ସଂହାରି ହେ ପ୍ରଭୁ
ବେଦ ଆଣିଲ ଉଦ୍ଧାରି । ୧ ।

ପୁଣି କଚ୍ଛପ ରୂପେ ଶ୍ରୀ ହରି
ଚକ୍ରାକାରେ ଅବନୀକି ଧରି
ହୋଇ ବରାହ ରୂପ ମୁରାରି ହେ ପ୍ରଭୁ
ଦନ୍ତେ ମହୀ ରକ୍ଷା କରି । ୨ ।

ନରସିଂହ ମୂର୍ତ୍ତି ହୋଇ କରି
ଭକ୍ତ ଛଳେ ହିରଣ୍ୟ ବିଦାରି
ପ୍ରହ୍ଲାଦକୁ ସ୍ୱର୍ଗେ ଇନ୍ଦ୍ର କରି ହେ ପ୍ରଭୁ
ଭୁଞ୍ଜାଇଲ ସୁଖ ଶିରୀ । ୩ ।

ଦିବ୍ୟ ବାମନ ମୂରତି ଧରି
ବଳି ଦ୍ୱାରେ ହୋଇଲ ଭିକାରୀ
ତିନି ପାଦ ଦାନ ମାଗି କରି ହେ ପ୍ରଭୁ
ଚାପିଲ ପାତାଳ ପୁରୀ । ୪ ।

ପର୍ଶୁରାମ ରୂପେ ପର୍ଶୁ ଧରି
କ୍ଷତ୍ରିୟଙ୍କୁ ରଣେ ଜିଣି କରି
ରାମ ରୂପେ ଲଙ୍କା ଧ୍ୱଂସ କରି ହେ ପ୍ରଭୁ
ସୀତା ଆଣିଲ ଉଦ୍ଧାରି । ୫ ।

ଗୋପେ ନନ୍ଦ ଘରେ ଜନ୍ମି କରି
ହଳ ମୂଷଳ ଧାରଣ କାରୀ
ବୌଦ୍ଧ ରୂପେ ରହି ନୀଳଗିରି ହେ ପ୍ରଭୁ
ମହିମା ଅଛ ବିସ୍ତାରି । ୬ ।

କଳି ଶେଷେ କଳ୍କି ଅବତରି
ମ୍ଳେଚ୍ଛ ସିଂହାରିବ ଖଡ଼୍‌ଗ ଧରି
ବେଣୁଧର ଶ୍ରୀପଦେ ଭିକାରୀ ହେ ପ୍ରଭୁ
ଭବାବ୍ଧିରୁ କର ପାରି । ୭ ।