(ବେଣୁଧର— ରାଗ ମଙ୍ଗଳ କାମୋଦୀ, ତାଳ ଏକତାଳି)
ଛନ ହେଲି ସଖି ଶ୍ୟାମ ଛବି ଦେଖି
ଛାଡ଼ ତୁ ତା କଥା କହନା ଲୋ
ଛେଦିଦେଲା ସେ ମୋ ଧଇର୍ଯ୍ୟ ତରୁକୁ
ତୁ ପୁଣି ତାହାକୁ ଦହନା ଲୋ । ଘୋଷା ।
ଛୋପରା ପଣିଆ ନ ଜାଣୁ କି ତାର
ଛଇଳ ନାଗର ଯାହା ନା ଲୋ
ଛନ୍ଦ ମନ୍ଦ ବାଣୀ ନନ୍ଦ ନନ୍ଦନର
ଫାନ୍ଦରେ ତାହାର ପକାନା ଲୋ । ୧ ।
ଛେଲ ପରି ଲାଗେ ତା ଗେଲ ବଚନ
ମୋତେ ତୁ ଏଥି ଅଟକାନା ଲୋ
ଛପି ରହିଅଛି ଏହି ନିକୁଞ୍ଜରେ
ଚାଲ ଚାଲ ଦଣ୍ଡେ ରହନା ଲୋ । ୨ ।
ଛାଟି ନେବ ନେତ୍ର ବଡ଼ଶୀ ମୁନରେ
ହୃଦରୁ ନିଶ୍ଚୟ ଚେତନା ଲୋ
ଛାର ମାର ମରମରେ ଯାହା କରେ
ବଂଶୀରେ ଡାକିଲେ ମୋହନ ଲୋ । ୩ ।
ଛୁଇଁଦେବ ଯେବେ ରହିବ କି ଦମ୍ଭ
ବଡ଼ାଇ ଗୁମାନ କେତେ କି ଲୋ
ଛତ୍ରପତି ପୁତ୍ରୀ ଶ୍ରୀମତୀ ଦୂତୀକି
କହେ ବେଣୁଧର ଭାବନା ଲୋ । ୪ ।