(ବେଣୁଧର— ରାଗ ଲଳିତ କେଦାର, ତାଳ ଖେମଟା)
ନନ୍ଦସୁତ ଛନ୍ଦରେ କାଲି
କି ଯୋଗରେ ସଖୀ ମୁଁ ପଡ଼ି ଗଲି । ଘୋଷା ।
ଏକା ହୋଇ ଗଲି ଯମୁନା
କେଳି ନୀପ ମୂଳରେ କହ୍ନା
ଉଭା ହୋଇଥିଲା ଶୋଭା ଚାହିଁ ଭଲା
ଲୋଭା ହୋଇ ଧୈର୍ଯ୍ୟ ହଜାଇ ଦେଲି । ୧ ।
ତାର ବଂଶୀ ସ୍ୱନକୁ ଶୁଣି
ନ ଚଳିଲା ମୋ ପାଦ ପାଣି
ଲଭିଲି ବିଷାଦ ମନେ ହେଲା ଖେଦ
ବିବେକ ହରାଇ ଦେଇ ବସିଲି । ୨ ।
କେତେବେଳେ ମୋହନ ବଂଶୀ
-ଧାରୀ ମୋହ ପଛରୁ ଆସି
ବେନି କରେ ମୋର ବେନି ଚକ୍ଷୁ ବୁଜି
ନ ଛାଡ଼ିଲେ ଯେତେ ବିନୟୀ ହେଲି । ୩ ।
ବୋଇଲେ ତୁ ନିୟମ କର
ମୁଁ ତୋ ହୋଇଥିବି ଚାକର
ତେବେ ନୟନରୁ ଛାଡ଼ିଦେବି କର
ବେଣୁଧର ବୋଲେ ସମ୍ମତ କଲି । ୪ ।