(କୃଷ୍ଣଚନ୍ଦ୍ର ନୃପ— ରାଗ ପୁନ୍ନାଗ, ତାଳ ଖେମଟା)
ଶ୍ୟାମ ଛବିରେ କାଲି ମୁଁ ତ ଭୁଲି ଗଲିରେ
ଚିତ୍ତ ମୋର ମୋହିନେଲା ତ ମୁରଲୀ ରେ । ଘୋଷା ।
ତ୍ରିଭଙ୍ଗୀ ମୂରତି ହୋଇ ନୀପ ମୂଳେ ଥିଲେ ରହି
ସେ ରୂପକୁ କିଞ୍ଚିତେ ମୁଁ ଚାହିଁଦେଲି ରେ । ୧ ।
ସଖି ସେ କଳା କହ୍ନାଇ କି କରି ଦେଲେ ଅନାଇଁ
ମୋ ଦମ୍ଭ ଧଇର୍ଯ୍ୟ କାହିଁ ହରାଇଲି ରେ । ୨ ।
କଲେ ଯେତେ ଅଙ୍ଗ ଭଙ୍ଗୀ କି କହିବି ପ୍ରାଣସଙ୍ଗୀ
ମୋ ଉରକୁ ଦେଲେ ଫିଙ୍ଗି ନେତ୍ର ଭାଲି ରେ । ୩ ।
ନୃପ କୃଷ୍ଣଚନ୍ଦ୍ର ବୋଲେ ଦେଖିଲେ ସେ ମୂର୍ତ୍ତି ହେଳେ
ବରଣ କରନ୍ତି ହାର ଗୁନ୍ଥି ମଲ୍ଲୀରେ । ୪ ।