Kaha Ki Upaya Aau Re Sangini

କହ କି ଉପାୟ ଆଉ ରେ ସଙ୍ଗିନୀ
(Benudhara— Raga Sri, Tala Tripata)
(ବେଣୁଧର— ରାଗ ଶ୍ରୀ, ତାଳ ତ୍ରିପଟା)

କହ କି ଉପାୟ ଆଉ ରେ ସଙ୍ଗିନୀ
କହ କି ଉପାୟ ଆଉ
ଦେଖିଲା ବେଳୁ ସେ ମୋହନ ମୂରତି
ମଦନ ଦେଲାଣି ଦାଉ । ଘୋଷା ।

କୁଳଶୀଳ ଲାଜ ମହତ ଆବର
ଜାତି ପଛକେ ମୋ ଯାଉ
ମୁଁ ଯେ ମୂରୁଛିଲେ ନେତ୍ର ନ ମୂର୍ଚ୍ଛଇ
ସେ ମୋ ମନକୁ ମଜ୍ଜାଉ । ୧ ।

ମୋ ମନ ତ ତହିଁ ବୁଡ଼ି ରହିଲାଣି
ଥରେ ଅନାଉଁ ଅନାଉଁ
ଅପକୀରତି ଶୋଚନା ମୋ ନାହିଁ
ତୁ କିମ୍ପା ମୋତେ ଭଙ୍ଗାଉ । ୨ ।

ତ୍ରିଭଙ୍ଗିମା ଠାଣି ବଙ୍କିମା ଚାହାଣୀ
ଅଙ୍ଗ ଦିଶେ ଦାଉ ଦାଉ
ଛବି ନଟବର ନବୀନ ସୁନ୍ଦର
ମୋ ଗଳେ ଭୁଜ ବେଢ଼ାଉ । ୩ ।

କୋଟି କାମ ଶିରୀ ଯା ବିଗ୍ରହେ ପୂରି
ତା ପ୍ରୀତିରେ ଦିନ ଯାଉ
ବେଣୁଧର ଭାଷି ହେବି ତାଙ୍କ ଦାସୀ
ପିଣ୍ଡେ ପ୍ରାଣ ଥାଉଁ ଥାଉଁ । ୪ ।