Kanja Nayana Kisori Janitha Re

କଞ୍ଜନୟନା କିଶୋରୀ ଜାଣିଥା ରେ
(Benudhara— Raga Kelisaranga, Tala Khemata)
(ବେଣୁଧର— ରାଗ କେଳିସାରଙ୍ଗ, ତାଳ ଖେମଟା)

କଞ୍ଜନୟନା କିଶୋରୀ ଜାଣିଥା ରେ
କଥା ପଦକ ମନକୁ ଆଣିଥା ରେ । ଘୋଷା ।

କଲା ବେଳେ ଅଭିସାର ସେ ଯମୁନା ପଥେ
କଦମ୍ବ ମୂଳକୁ ନ ଚାହିଁବୁ ଆଡ଼ ନେତ୍ରେ । ୧ ।

କନକଗୋରୀ ମାନଙ୍କୁ ରହିଛି ଯେ ଟାକି
କଳାପିଚୂଳିଆ କହ୍ନା ରଖିବ କି ବାକି । ୨ ।

କଳଙ୍କଲଗା ମୋହିନୀ ଶିଖିଛି ସେ କାହୁଁ
କରିଦିଏ ବୁଦ୍ଧି ବଣା ପରା ଚାହୁଁ ଚାହୁଁ । ୩ ।

କବିଚନ୍ଦ୍ର ବେଣୁଧର କହଇ ଏ ଗୀତେ
କୁଞ୍ଜବନ କାଳିଆକୁ ନ ଯିବୁ ପରତେ । ୪ ।