(ରାମକୃଷ୍ଣ କବିଚନ୍ଦ୍ର)
ମୁଁ ରତ ହେଲି ଯହିଁରେ ମୋର ତ ନୋହିଲା ରେ । ଘୋଷା ।
ଯା କୋଳ ସୁଖକୁ ମଣି ଗୁରୁଜନ ମୁଁ ନ ଗଣି
ମୋ ଦୁଃଖ ଶୁଣି ଏବେ ସେ ନିଷ୍ଠୁର ହୋଇଲା ରେ । ୧ ।
ତୁମ୍ଭେ ମୋ କେଡ଼େ ସୁହୃଦ ପ୍ରାଣରୁ ପ୍ରୀତି ଅଭେଦ
ତୁମ୍ଭଙ୍କୁ ଯା ଦେଲି ଖେଦ ଏତିକି ରହିଲା ଗୋ । ୨ ।
ସଖୀମାନଙ୍କ ଅଭ୍ୟାସ ସହି ନ କଲି ଲାଳସ
ଯେ ଥିଲା କୁଳ ମୁହାଁସ ଏଣିକି ସରିଲା ଗୋ । ୩ ।
ଯେ ଦେଲା ଦୁଃଖ ଦୁଃସହ ଶୁଣି ତହିଁ ଲାଗେ ସ୍ନେହ
ଧିକ ଏ ପ୍ରାଣକୁ ଦେହ କାହିଁକି ଆଇଲା ଗୋ । ୪ ।
ଯା ପ୍ରେମ ଉନ୍ମାଦ ରସ ଆଶାରେ ହେଲି ଲାଳସ
ଯା ଲାଗି ମୋର ଉଲ୍ଲାସ ସେ ମୋତେ ଦହିଲା ଗୋ । ୫ ।
ରାମକୃଷ୍ଣ କବିଶଶୀ ଭାଷେ ଶ୍ରୀ କିଶୋରୀ ଭାଷି
ଅସର ସନ୍ତାପ ରାଗୁ ଏ ଦେହ ସହିଲା ଗୋ । ୬ ।