(ରାମଚନ୍ଦ୍ର ଦେବ— ଯତି)
ସଖୀ ଚାଲ ସର୍ବେ ଯିବା ମଥୁରା ପୁର
ଦେଖିବା ପରା ସକଳେ ହଟ ନାଗର । ଘୋଷା ।
ସେ ମୋହିନୀ ବେଶଧାରୀ ମୋହିଲେ ଅମର ପୁରୀ
ଯାହାଙ୍କର ବେଶେ ଭାଗୀ ହେଲେ ଶଙ୍କର । ୧ ।
ଯେ କରେ ମନ୍ଦର ଧରି ରଖିଥିଲେ ଗୋପପୁରୀ
ଫେରି ପରା ଗଲେ ଇନ୍ଦ୍ର ନିଜ ମନ୍ଦିର । ୨ ।
ଯାହାଙ୍କ ମୁରଲୀ ଧ୍ୱନି ମୋହିର କରେ ଅବନୀ
ଗୋପାଙ୍ଗନା ସର୍ବେ ପରା ଛାଡ଼ନ୍ତି ଘର । ୩ ।
ସେ ମୋହନ ରୂପ ଦେଖି ସଫଳ କରିବା ଆଖି
ପାପ ତାପ ଶୂନ୍ୟ ହେବ ଆମ୍ଭ ଶରୀର । ୪ ।
ଏମନ୍ତ ସକଳ ନାରୀ ଚିତ୍ତେ ଧ୍ୟାନ କରି ହରି
ରାମଚନ୍ଦ୍ର ଦେଓ ବୋଲେ ହେଲେ ବାହାର । ୫ ।