(ହରିକୃଷ୍ଣ ରାଜ— ରାଗ କେଦାର)
ସାରସ ନୟନା ଅନାରେ ଥରେ
ମନ୍ଦେ ହସି ଚନ୍ଦ୍ରାନନା । ଘୋଷା ।
ନ ନାଶ ଦାସକୁ ହେବ ଅପଯଶ
ଯଶ ରକ୍ଷଣୀ ବିଚାର ତୋ ମାନସରେ
ନ ସହି ମୋ ନାଁରେ କେ କି କହିଅଛି
ଅଛିଦ୍ର ଚାରୁ କେଶୀ ନବୀନା । ୧ ।
ବିନାଶ କରେ ତୋ ବିନା ପଞ୍ଚଶର
ସରସ ବଚନା ନିରାଶ ନ କର ରେ
କରକ କୁନ୍ଦ ବୃନ୍ଦ ସୁନ୍ଦର
ଦନ୍ତୀ ଦନ୍ତୀପତି ଜିତ ସୁଗମନା । ୨ ।
ମନାଇଁ କହିଲେ ନ ଘେନୁ ସୁନ୍ଦରୀ
ଦରିଦ୍ର ମୁଁ ମୋ ଧନ ବିମ୍ବ ଅଧରୀରେ
ଧରିତ୍ରୀ ମଣ୍ଡନା ମୋ ଜୀବ ଉଦ୍ଧରି
ଧରି ନିଜ ଯଶ ରଖୁ କି ନା । ୩ ।
କି ନା ମଦନର ତୋ ପ୍ରସନ୍ନେ ନବ
ନବନୀତ ଅଙ୍ଗୀ ବିଚାର ରେ
ଜୀବ ଜୀବନ ତୁ ମୋର ସବର୍ଦ୍ଧନୀ
ଧନୀ ଏବେ କାମ ଭରସୁ ନା । ୪ ।
ସୁନାଗୋରୀ ତୋଷ ଶୁଣି କୃଷ୍ଣ ଭାଷ
ଭାଷଇ ହରିକୃଷ୍ଣ ରାଜ ଏ ରସରେ
ରସରେ ତୋଷିଲେ ସେ ନୀରଦ ଅଙ୍ଗ
ଅଙ୍ଗନା ରତ୍ନ ଘନ ଜଘନା । ୫ ।