Sajani Ki Hela Mote

ସଜନୀ କି ହେଲା ମୋତେ
(Birabikrama Deba— Raga Kamodi, Tala Athatali)
(ବୀରବିକ୍ରମ ଦେବ— ରାଗ କାମୋଦୀ, ତାଳ ଆଠତାଳି)

ସଜନୀ କି ହେଲା ମୋତେ
ମୋହନ ବିଗ୍ରହ ନେତ୍ରେ ନୃତ୍ୟ କଲା ଅନୁବ୍ରତେ । ଘୋଷା ।

ଭ୍ରମରେ ହେଲେ ତ ଦିନେ
ଭ୍ରମି ନାହିଁ ବଂଶୀ ସ୍ୱନେ
ଏ କି ଲୋ ମା ଅକାରଣେ । ୧ ।

ଯାଉଁ ଯମୁନା କୂଳକୁ
ଅଜାଗେ ନୀପ ମୂଳକୁ
ଅନାଇ ଦେବା ମାତ୍ରକୁ । ୨ ।

କରି କେତେ ଦୃଢ଼ ପଣ
କଲେହେଁ ଯେତେ ବର୍ଜ୍ଜନ
ତଥାପି ନ ମାନେ ମନ । ୩ ।

ଯିବାକୁ ନିକୁଞ୍ଜ ବନେ
ପାଞ୍ଚି ନାହିଁ ତ ସ୍ୱପନେ
କିମ୍ପା ରହି ନୁହେଁ କ୍ଷଣେ । ୪ ।

ଶ୍ରୀ ବୀରବିକ୍ରମ ଗିର
ଏବେ ହେଲା ଚିନ୍ତା ସାର
ଶାଶୁ କି ବୋଲିବେ ମୋର । ୫ ।