Pirati Riti Jana Padila Re

ପୀରତି ରୀତି ଜଣା ପଡ଼ିଲାରେ
(Birabikrama Deba— Raga Bibhasa, Tala Jati)
(ବୀରବିକ୍ରମ ଦେବ— ରାଗ ବିଭାସ, ତାଳ ଯତି)

ପୀରତି ରୀତି ଜଣା ପଡ଼ିଲାରେ
ଆଶା ତରୁ ମୂଳରୁ ଛିଡ଼ିଲାରେ । ଘୋଷା ।

ଶପଥ କରିବାର କହି ମଧୁର ଗିର
ଜୀବନ ବିକା ସ୍ନେହ ତୁଟିଲାରେ
ସ୍ମର ଧରି କୋଦଣ୍ଡ ସନ୍ଧି କୁସୁମ କାଣ୍ଡ
ପରାଣ ନେବ ବୋଲି ଅଡ଼ିଲାରେ । ୧ ।

ଏତେ କାଳେ ସହସା ଆସି ପଡ଼ିଲା ଶଦଶା
ଅନୁରାଗ ଶୃଙ୍ଖଳା ଫିଟିଲାରେ
ପୂରୁବ ପାପୁଁ ମୋର ସେ ସୁଖ ହୋଇ ଦୂର
ଚିନ୍ତାରେ ତନୁ ଏବେ ସଢ଼ିଲାରେ । ୨ ।

ଅନବରତେ ମୋର ଝୁରିବା ହେଲା ସାର
କୁରରୀ ଦଶା ଆସି ଘଟିଲାରେ
ବିରହେ କଳେବର କମ୍ପିଲା ବାରମ୍ବାର
ନିରତେ ନୀର ନେତ୍ରୁ ଝଡ଼ିଲାରେ । ୩ ।

ସରିଲା ସୁଖ ଶିରୀ ବଞ୍ଚିବି ମୁଁ କିପରି
ମୋ ଠାରୁ ବନ୍ଧୁ ଚିତ୍ତ ହଟିଲାରେ
ବୀରବିକ୍ରମ ବୋଲେ କି ହେବ ଏତେବେଳେ
ବୁଦ୍ଧି ବିବେକ ସବୁ ବୁଡ଼ିଲାରେ । ୪ ।