(ବୀରବିକ୍ରମ ଦେବ— ରାଗ ଖମ୍ବାଜ, ତାଳ ଆଠତାଳି)
ଭଙ୍ଗିମା ପଣକୁ ଧନୀ ସମ ନାହିଁ କେହି । ଘୋଷା ।
ଦୁଃଖ ହୋଇଥିଲେ ଚିତ୍ତେ ମୋତେ ଦେଖିଲେ ତୁରିତେ
ଦରହାସ ଦରଶାଇ ପାଶେ ବାସେ ସହି । ୧ ।
ସ୍ନେହରେ ଯାଚିଲେ ପାନ ନୁଆଏଁ ଚନ୍ଦ୍ରଲପନ
ଆନ ଦେଲେ ବୋଲୁଥାଇ ବିଧି ନୁହେଁ ଏହି । ୨ ।
ଅତର ଚୂଆ ଚନ୍ଦନ ଅଙ୍ଗେ କରନ୍ତେ ଲେପନ
ଶ୍ରୀକରରେ କର ପେଲି କରେ ନାହିଁ ନାହିଁ । ୩ ।
ଗୁନ୍ଥିଣ କୁସୁମ ହାର ଲମ୍ବାଇଲେ ଗଳେ ତାର
ଏ କି କର ବୋଲି ମନା କରେ ସୁନାଦେହୀ । ୪ ।
ବୀରବିକ୍ରମ ବଦତି ପାଶୋରି ନୁହେଁ ତା ରୀତି
ଭାବି ଭାବି ହୃଦ ଏବେ ହେଉଅଛି ଦହି । ୫ ।