Ghana Kale Ghanakesi

ଘନ କାଳେ ଘନକେଶୀ
(Birabikrama Deba— Raga Suratha, Tala Athatali)
(ବୀରବିକ୍ରମ ଦେବ— ରାଗ ସୁରଠ, ତାଳ ଆଠତାଳି)

ଘନ କାଳେ ଘନକେଶୀ
ମୋହ ବିନା କି କରିବ ସଜନୀ ରେ । ଘୋଷା ।

ନଭେ ଘୋଟି ନବଘନ ନିରନ୍ତରେ ତେଜି ବନ
ଲଙ୍ଘି ନଦୀ କୂଳ ମାନ କାମୀ କୁଳ ବୁଡ଼ାଇବ ସଜନୀରେ । ୧ ।

ଘଡ଼ିଘଡ଼ି ଗରଜନ ଚଞ୍ଚଳା ଚମକ ପୁଣ
ମାନସ କରଇ ଛନ୍ନ ତହିଁ ପୁଣି ଭେକ ରବ ସଜନୀରେ । ୨ ।

ମଦନ କୋଦଣ୍ଡ ସାଜି ବାଛି ଫୁଲଶର ରାଜି
ମର୍ମ ସ୍ଥାନ ଖୋଜି ଖୋଜି ଅବିରତେ ବିନ୍ଧୁଥିବ ସଜନୀରେ । ୩ ।

ଶ୍ରୀ ବୀରବିକ୍ରମ ଦେବ ବୋଲେ ଭାବିଲେ କି ହେବ
ସତେ କି କରିବେ ଶିବ ସହି ଶୁଭେ ଭେଟ ହେବ ସଜନୀରେ । ୪ ।