(ବୀରବିକ୍ରମ ଦେବ— ରାଗ ସୁରଠ, ତାଳ ଆଠତାଳି)
କି କହିବି କହ ସହି
ବିହି କି ଲିହି ରଖିଛି ଭାଲେରେ । ଘୋଷା ।
କରି ତ ନାହିଁ ମୁଁ ଦୋଷ
କାହିଁକି ମା ଏତେ ରୋଷ
ବହି ମୋରେ ପ୍ରାଣ ଈଶ
କାମ ସରିତରେ ଭସାଇଲେ । ୧ ।
ନୂଆ ନୂଆ ପ୍ରୀତି କାଳେ
କି ଅବା ନ କହି ଥିଲେ
ଏବେ କାହା ସଙ୍ଗେ ଭୁଲେ
ପୂର୍ବ ଭାବକୁ ସେ ପାଶୋରିଲେ । ୨ ।
ବିବେକୀବର ବୋଲାଇ
ବିଚାରି ପାରିଲେ ନାହିଁ
ମୋତେ ମାର ମୁଖେ ଦେଇ
ଅପଯଶ ଧ୍ୱଜା ଟେକାଇଲେ । ୩ ।
ଭାବି ଦେଲେ ତାଙ୍କ ରୀତି
ଚମକି ପଡ଼ଇ ଛାତି
ଜାଣି ନ ଥିଲି ଏ ରୀତି
ବିଷ ଖାଇବାକୁ ମନ ବଳେ । ୪ ।
ଚିତ୍ତ ହେଉ ଅଛି ଯାହା
କା ଆଗେ କହିବି ତାହା
କହିଲେ କେ ହେବ ସାହା
ଶ୍ରୀ ବୀରବିକ୍ରମ ଦେବ ବୋଲେ । ୫ ।