(ବୀରବିକ୍ରମ ଦେବ— ରାଗ ତୋଡ଼ି ପୁନ୍ନାଗ, ତାଳ ଆଠତାଳି)
କି ହେଲା ଗୋ ମୋତେ ଚାହୁଁ ଚାହୁଁ
ଏପରି ତ ହେଲି ସହୁ ସହୁ
ତନୁଗୋଟି ଯାକ ପୂରୁଛି ପୁଲକ
ଏବେ ସେ କଥାକୁ ଭାବି ଦେଉଁ । ଘୋଷା ।
ତପନସୁତା ତଟ ନିକଟେ
ଶ୍ୟାମ ବସିଥିଲେ ବଂଶୀ ବଟେ
ଅଜାଣେ ସେ ତରୁ ମୂଳକୁ ଯିବାକୁ
ଉପରାଣ ଧରି ଟାଣି ନେଉଁ । ୧ ।
କୁଞ୍ଜବନରେ କୁସୁମ ତୋଳୁଁ
ମାଧବ ଆସି ମାଧବୀ ତଳୁ
ଅଜଣାରେ ମୋର ନେତ୍ର ବୁଜି କର
କିଏ ଚିହ୍ନ ବୋଲି ଥରେ କହୁଁ । ୨ ।
ଯମୁନାକୁ ଯାଉଁ ନୀର ଆଣି
ସଙ୍ଗତେ ଥିଲେ ସଜନୀ ଶ୍ରେଣୀ
ମୋ ଆଡ଼େ ଅନାଇଁ ନନ୍ଦର କହ୍ନାଇ
ମୋହନ ମୁରଲୀ ବାଉଁ ବାଉଁ । ୩ ।
ସଙ୍ଗ ସଖାମାନଙ୍କର ମେଳେ
ଗୋରୁ ଗୋଷ୍ଠରୁ ଫେରିବା ବେଳେ
ସେ ବାଙ୍କଚୂଳିଆ ପୀତ ଦୁକୂଳିଆ
ନୟନ ତେରଛେ ଢାଳି ଯାଉଁ । ୪ ।
ଅନାୟତ ହୋଇ ଗଲି ସହି
ବୁଦ୍ଧି ଆଉ କିଛି ଦିଶୁ ନାହିଁ
ଶ୍ରୀ ବୀରବିକ୍ରମ ବୋଲଇ ବିଷମ
ଦଶା ପଡ଼ିଗଲା ପ୍ରୀତି ନୋହୁ । ୫ ।