Jibana Sartha Karibi

ଜୀବନ ସାର୍ଥ କରିବି
(Birabikrama Deba— Raga Basanta Kamodi, Tala Jhula)
(ବୀରବିକ୍ରମ ଦେବ— ରାଗ ବସନ୍ତ କାମୋଦୀ, ତାଳ ଝୁଲା)

ଜୀବନ ସାର୍ଥ କରିବି
ଆଉ ଅନ୍ତର ତଳେ ନୋହିବି । ଘୋଷା ।

କରି ପରିରମ୍ଭ ବସାନ୍ତେ କୋଳେ
ଲାଜେ ଲାଜେ ଖସି ବସନ୍ତେ ତଳେ
ମୁଁ ତୋ କିଣା ବୋଲି ବୀଣାଭାଷୀ ଆଗେ
କର ଯୋଡ଼ି ଉଭା ହେବି । ୧ ।

ପୃଥୁଳ ଚିକ୍କଣ ଚାରୁ ଜଘନ
ସିଂହାସନେ ବସି ପାଇ ସମ୍ମାନ
କୁଚ ତକିଆରେ ଆଉଜି ମଘବା
ପଦକୁ ତୁଚ୍ଛ ମଣିବି । ୨ ।

ନାନା କଉତୁକ ରସେ ବୁଡ଼ାଇ
ହୃଦରେ ହୃଦକୁ ଦେବି ଜଡ଼ାଇ
ନୀବି ବନ୍ଧେ କର ନିବେଶି କାତରେ
ଏକିଏକି କୁହାଇବି । ୩ ।

ବିହି ମୁଖ ପଦ୍ମେ ଚୁମ୍ବନ ବ୍ରଜ
ସଧୀରେ ଊରଜେ ଚାଳି କରଜ
ଈଷି ଈଷି ମଲି ବୋଲିବା ସମୟେ
ଅଧରୁ ସୁଧା ପିଇବି । ୪ ।

ଶ୍ରୀ ବୀରବିକ୍ରମ ଭାଷେ ଏ ଗିର
ନିତି ନିତି ସେବି ରାମା ପାଶର
ଦୁର୍ନିବାର ମାର ଦର କରି ଦୂର
ସନ୍ତତେ ସୁଖୀ ହୋଇବି । ୫ ।