(ବୀରବିକ୍ରମ ଦେବ— ରାଗ ଶୋକ କାମୋଦୀ, ତାଳ ଆଠତାଳି)
ପ୍ରାଣ ସଜନୀରେ ଏ ନିନ୍ଦା କାହାକୁ ହେବ
ଶାଣଦିଆ ସ୍ମର ବାଣ ବାଜି ମୋର
ପ୍ରାଣ ଯେବେ ଉଡ଼ିଯିବ । ଘୋଷା ।
ତାମରସ ମୁଖୀ ତୋ ପଦ ଲାଞ୍ଛିତ
ପଦକକୁ ହୃଦେ ଧରି
ପାମର କାମର ହୁକୁମକୁ ଯେବେ
ନିରତେ ରହିଲି ଡରି । ୧ ।
ପୁରନ୍ଦର ପୁରୀ କଳ୍ପଲତା ଶିରୀ
ସଞ୍ଜାତ ପ୍ରେମ କନ୍ଦଳୀ
ତୋ କରୁଣା ଜଳ ବିନା କାମାନଳ
ଝାସେ ଯେବେ ଯିବି ଜଳି । ୨ ।
ଶରଣବତ୍ସଳା ସରସ ହୃଦୟା
ବୋଲାଉ ସୁରସ ଦାନେ
ଅରୁଣାଧରି ତୋ ଚରଣ କିଙ୍କରେ
କରୁଣା ନୋହିଲେ ଧାନେ । ୩ ।
ଚିର ତୃଷିତକୁ ହୀରକ ଦଶନୀ
ତୋଷ ଥରେ ସୁଧା ପାନେ
ବୀରବିକ୍ରମର ଏ ବିନୟ ଗିର
ନ ଶୁଣିଲେ ବାରେ କାନେ । ୪ ।