(ବୀରବିକ୍ରମ ଦେବ— ରାଗ ଲଳିତ, ତାଳ ଏକତାଳି)
ନ କର ଏପରି ଆଉ ରେ ନବୀନା
କେତେ ସହିବି ମଦନ ଦାଉ ରେ । ଘୋଷା ।
ନୂଆ ନୂଆ ଭଙ୍ଗୀ କଳପନା କରୁ ଥାଉ
ଦିନେ ହସୁଥିଲେ ଦିନେ ରୁଷୁଥାଉ
ଏ ଭାବ ଶିଖିଲୁ କାହୁଁ । ୧ ।
କୋଳେ ବସାଇଲେ ତଳେ ଖସି ବସୁ ଆଉ
ପରମ ମୁଖର ମାର ହାତେ ମୋର
ଦମ୍ଭ ପୁଣି କଷୁଥାଉ । ୨ ।
କର ଯୋଡ଼ି ଜଣାଇଲେ କରକୁ ଛଡ଼ାଉ
ହେଲା କି କରୁଣା ବୋଇଲେ ତ ଏ କି
ହେବା କଥା ବୋଲି କହୁ । ୩ ।
ଯେବେ ଦାସ ଦୋଷୀ ହେଲା କିମ୍ପା ଦଣ୍ଡୁ ନାହୁଁ
ବୋଇଲେ ଏତିକି ତାତି ଗଲା ପରି
ପ୍ରୀତି କଳିବାକୁ ଯାଉ । ୪ ।
ନାସିକା ଫୁଲାଇ ନ ଚାହିଁଲା ପରି ଚାହୁଁ
ଶ୍ରୀ ବୀରବିକ୍ରମ ବୋଲେ ମୁଁ ଦେଖିଲେ
କିମ୍ପା ମୋତେ ନ ଅନାଉ । ୫ ।