(ବୀରବିକ୍ରମ ଦେବ— ରାଗ ତୋଡ଼ି ମଲ୍ଲାର, ତାଳ ଆଦିତାଳ)
ରସିକା ମୋ ନୟନେ ପଡ଼ିଲାରେ
ଢଳି ଯା ଆଳି ଅଙ୍କେ ଜଡ଼ିଲାରେ
କଷିବାକୁ ମୋ ଧୃତି ତେତିକି ବେଳୁଁ ରତି
ପତି କୋଦଣ୍ଡ କରେ ଭିଡ଼ିଲାରେ । ଘୋଷା ।
ସହି କହନ୍ତେ ଛଳି କି ଘେନି ମନେ ଅଳି
କଳା କୁନ୍ତଳା କର ଯୋଡ଼ିଲା
ହୋଇ ହରଷ ମନା ପୁଣି ସେ ଚନ୍ଦ୍ରାନନା
ଅଧ ଅଧରେ ଦନ୍ତ ପୀଡ଼ିଲାରେ । ୧ ।
କି ମଧୁର ତୋ ବାଣୀ ପ୍ରକାଶୁଁ ନାରୀମଣି
ମୋ ଶ୍ରୁତି ପାତ୍ରେ ସୁଧା ତାଡ଼ିଲାରେ
ସର ଶାକର ପଣା ଦ୍ରାକ୍ଷା ରସକୁ ଊଣା
ବୋଲି ମୋ ଚିତ୍ତ ହେଲେ ବିଡ଼ିଲାରେ । ୨ ।
ମଞ୍ଜୁଳ କକ୍ଷ ମୂଳୁଁ ମୋ ପୂର୍ବ ଭାଗ୍ୟ ବଳୁଁ
ବାତେ କିଞ୍ଚିତେ ଚେଳ ଉଡ଼ିଲାରେ
ଚାହିଁ ଅପୂର୍ବ ଶୋଭା ମୋ ନେତ୍ର ହୋଇ ଲୋଭା
ସେହି ମାଦକ ଜଳେ ବୁଡ଼ିଲାରେ । ୩ ।
ସରସ ନବ ଶାଣଦିଆ କଟାକ୍ଷ ବାଣ
ବାଜି ଧଇର୍ଯ୍ୟ ତରୁ ଛିଡ଼ିଲାରେ
ବେଳୁଁ ବେଳ ପ୍ରବଳ ହୋଇ ବିରହାନଳ
ମୋ ତନୁଯାକ ଏବେ ପୋଡ଼ିଲାରେ । ୪ ।
କ୍ଷଣକେ କୋଟି କୋଟି ଶର ପ୍ରହାରି ହଟି
ପରାଣ ତୁଲେ କାମ ଅଡ଼ିଲାରେ
ବୀରବିକ୍ରମ ଭାଷେ ମୋ ମନ ବନ୍ଧୁ ପାଶେ
ରହିବା କଥାଟି ନ ହୁଡ଼ିଲାରେ । ୫ ।