Na Ja Tapanaja Tataku

ନ ଯା ତପନଜା ତଟକୁ
(Birabikrama Deba— Raga Asabari, Tala Jhula)
(ବୀରବିକ୍ରମ ଦେବ— ରାଗ ଆଶାବରୀ, ତାଳ ଝୁଲା)

ନ ଯା ତପନଜା ତଟକୁ
ଗଲେ ଭେଟିବୁଟି ବିଟରାଟକୁ । ଘୋଷା ।

ପତିବ୍ରତୀ ତତିଙ୍କି ଦେଖି
ଭୂରୁଭଙ୍ଗୀ କରି ତା ଆଖି
କଟାରୀ ଓଟାରି ନିଠାଇ ମାରଇ
ଫଟାଇ ଦିଅଇ ଧୃତି ଘଟକୁ । ୧ ।

ନଟବର ପୀତପଟିଆ
ଲମ୍ପଟିଆ ନଟକୂଟିଆ
ଘାଟ ଦିଅ ବୋଲି ବାଟ ଓଗାଳିବ
ଲଗାଇବ କେତେ ରୂପେ ନଟକୁ । ୨ ।

ସଟାବଟା କରି କହିବ
ହଟହଟା କରାଇ ଦେବ
ମିଠା କଥାଯାକ ସିଠା ଲାଗିବଟି
ଶୁଭିଯିବ ଯେବେ ବ୍ରଜ ହାଟକୁ । ୩ ।

କାଟି ତୋର ମରଜୀ ଗୀତ
ରଟିବାକୁ ସନ୍ତତେ ମିତ
ଜଟିଳା କୁଟିଳା ତ୍ରୁଟି ନ କରିବ
କହିଦେବ ମଧୁପୁର ଘାଟକୁ । ୪ ।

ଯୁବରାଜ ବୀରବିକ୍ରମ
ଦେବ ଭାଷେ ଛାଡ଼ ତା ପ୍ରେମ
ଫିଟାଇ କହୁଛି ନିପଟ କପଟ
ମୂରତି ଜାଣ ସେ ନନ୍ଦଚାଟକୁ । ୫ ।