Mohana Murali Nada Nuhe Sahi

ମୋହନ ମୁରଲୀ ନାଦ ନୁହେଁ ସହି
(Birabikrama Deba— Raga Pattamanjari, Tala Jati)
(ବୀରବିକ୍ରମ ଦେବ— ରାଗ ପଟ୍ଟମଞ୍ଜରୀ, ତାଳ ଯତି)

ମୋହନ ମୁରଲୀ ନାଦ ନୁହେଁ ସହି ମା
ଶୁଣିଲା ମାତ୍ରକେ ହୃଦ ହୁଏ ଦହି ମା । ଘୋଷା ।

ଶାଶୁ ନଣନ୍ଦ ଗର୍ଜ୍ଜନ ଥିଲେ ହେଲେ ଗୁରୁଜନ
ନ ଗଲେ ଯମୁନା ତଟ ନୁହେ ରହି ମା । ୧ ।

ଛଡ଼ାଇ ମୋ ପତିବ୍ରତ କରାଇ ଅଣ ଆୟତ୍ତ
ପଞ୍ଚଶର ସ୍ମର ବିନ୍ଧେ ତାହି ତାହି ମା । ୨ ।

ବ୍ରଜହାଟ ବାଟ ଗୋଟା ଶୁଭିଲା ମୋହରି ହଟା
ତଥାପି କୁଞ୍ଜକୁ ଧାଏଁ ବାଇ ହୋଇ ମା । ୩ ।

ଶୁଣିଲେ ଯେଉଁ ଯୁବତୀ ରଖି ପାରୁଥିବ ଧୃତି
ତାକୁ ପଚାରି ଉପାୟ ଦିଅ କହି ମା । ୪ ।

ଭାଷେ ଶ୍ରୀ ବୀରବିକ୍ରମ ଦେବ ଯୁବରାଜ ଶ୍ୟାମ
ପ୍ରେମଟି ଅତି ବିଷମ ହେଲା ସହି ମା । ୫ ।