(ବୀରବିକ୍ରମ ଦେବ— ରାଗ କେଦାରଗୌଡ଼ା, ତାଳ ଯତି)
ଆଜ ସଜ ସାଜିଥାରେ ଝଟକ ହାଟକ ଗୋରୀ । ଘୋଷା ।
ବାନ୍ଧି ଅଭିରାମ ବେଣୀ ଖଞ୍ଜି ଶିରେ ମଥାମଣି
ମାଙ୍ଗ ଭାଙ୍ଗ ମଧ୍ୟେ ପୁଣି ଲଗାଇ ସିନ୍ଦୂର ଶିରୀ । ୧ ।
କର୍ଣ୍ଣେ ଫଳକ ମଣ୍ଡନ ରଞ୍ଜି ନୟନେ ଅଞ୍ଜନ
କଣ୍ଠରେ କଣ୍ଠ ଭୂଷଣ ଖଞ୍ଜିଣ ଯତନ କରି । ୨ ।
ପିନ୍ଧି ନୀଳ ପୀତ ଶାଢ଼ୀ ହସ୍ତରେ ସୁବର୍ଣ୍ଣ ଚୂଡ଼ି
ମଣିବନ୍ଧେ ଥିବ ଜଡ଼ି କଙ୍କଣ ଯେ ହୋଇ ବାରି । ୩ ।
କଟିତଟରେ କିଙ୍କିଣୀ ପାଦରେ ବଳା ବାଜେଣୀ
ଝୁଣ୍ଟିଆ ତଳେ ଖୁଣ୍ଟଣୀ କେବେ ନୁହଇଁ ପାଶୋରି । ୪ ।
ବୀରବିକ୍ରମର ବାଣୀ ଥାଅ ମନେ ନିଶ୍ଚେଁ ଜାଣି
ଆସିବେଟି ବେଣୁପାଣି ଯାମିନୀ କି ଅର୍ଦ୍ଧ କରି । ୫ ।