(ବୀରବିକ୍ରମ ଦେବ— ରାଗ କାଶ୍ମୀର, ତାଳ ତ୍ରିପଟା)
ମୁଖେ ଥୋଇ ନାହିଁ ନାହିଁ ଚିତ୍ତେ ଅଙ୍ଗୀକାର ରହି
ସାର ଗାର ରତି ରଙ୍ଗିଣୀ ଗଣପତି
ଗଜଗତି କି ମତିରେ
କିଛି ପଛକୁ ଘୁଞ୍ଚୁ ଲଜ୍ଜିତେ ମୁଖେ ବାସ ଆଚ୍ଛାଦି
ରହ ରହ ବୋଲି ସଙ୍ଗିନୀକି କହିବା ବେଳି । ଘୋଷା ।
କେଳି ମନ୍ଦିରକୁ ଯିବା ବେଳେ
ରମଣୀ ମଘବା ପଛୁଁ ପ୍ରିୟ ଆଳି ଛଳେ
ଘେନାଇ କହିବା ବେଳେ । ୧ ।
ଏ ସମୟେ ନବ ବାଳୀ
ଦେହଳୀ ନ ଯାଉଁ ବଳି
ଧୀରେ ସଜନୀ ନିଶ୍ରେଣୀ ପେଲି
ଦିଅନ୍ତେ ରମଣୀ ମେଳେ । ୨ ।
ପରସ୍ପରରେ ବଖାଣି
ଏଥର ଯିବା ମିତଣୀ
ସମର୍ପିଣ କାନ୍ତ କୋଳେ
ବୋଲି କରକୁ ଧରିଲେ । ୩ ।
ଦୋହଲାଇ ନାସାମଣି
କି ରଙ୍ଗେ ବକ୍ର ଚାହାଣୀ
ନୁଆଇଁ ଚନ୍ଦ୍ରଲପନ
ଶୁଣି ଟାପରା ବଚନ । ୪ ।
ଆଦରି ହେବୁ ତୁ କାନ୍ତେ
ଯାଅ ସଙ୍ଗାତ ତୁରିତେ
ଭୟ ନ କର ହୃଦାନ୍ତେ
ବୀରବିକ୍ରମ ବୋଲନ୍ତେ । ୫ ।