Nabina Bahana Aau

ନବୀନା ବହନା ଆଉ
(Birabikrama Deba— Raga Todiparaja, Tala Aditala)
(ବୀରବିକ୍ରମ ଦେବ— ରାଗ ତୋଡ଼ିପରଜ, ତାଳ ଆଦିତାଳ)

ନବୀନା ବହନା ଆଉ ଗୁମାନ
ବିଅର୍ଥ ଗଲା ଏ ଦିନରେ । ଘୋଷା ।

ବେଶେ କରିବାକୁ ତୋରା ବନାଇଛି ଝରା
କୁରଙ୍ଗୀ ନୟନା ହେଲୁ ଯା ବିମନା
ବାଜି ବିରସ ପସରା । ୧ ।

ମନ୍ଦେ ହସି ନାରୀ ରାଜ ବିରାଜ ମୋ କୋଳେ
ଆରେ ବୀଣାଭାଷୀ କିଣା ଜନେ ରୋଷି
ନୋହିଁ ଚୁମ୍ବ ଗଣ୍ଡସ୍ଥଳ । ୨ ।

ବିପରୀତେ ମାତି ପୁହାଇବି ରାତି ବୋଲି
କରିଥିଲି ଆଶା ତୁଟିଲା ଭରସା
ସ୍ମର ଶରେ ଏବେ ମଲି । ୩ ।

କରଜରେ ଅବନୀକି ନ ଚିରରେ ବାଳା
ଚନ୍ଦ୍ରମା ବଦନା ନ ହୋଇ ବିମନା
ବାରେ ଚାହାଁ ଢାଳି ଡୋଳା । ୪ ।

ଖଡ଼ିଆଳ ଯୁବରାଜ ଶ୍ରୀ ବୀରବିକ୍ରମ
ବୋଲଇ ଅଧୀର ହେଲା ଚିତ୍ତ ମୋର
ବଞ୍ଚିବା କଥା ବିଷମ । ୫ ।