(ବୀରବିକ୍ରମ ଦେବ— ରାଗ କରୁଣାଶ୍ରୀ, ତାଳ ଆଠତାଳି)
ଆଶା ନାହିଁ ବଞ୍ଚିବି କି ପରା ରେ ଜବାଧରା । ଘୋଷା ।
ଏ ତ ଅଖଣ୍ଡ ବିପତ୍ତି ଆସିଲା କି ପରିସ୍ଥିତି
ଗୁଣି ଗୁଣି ତୋର ରୀତି ବରତିବି କି ମୁଁ ଏଥି
ତାହା ବିନା ଅଛି କେ ମୋ ଧରାରେ । ୧ ।
ତା ଭଙ୍ଗୀ ଅନୁକ୍ଷଣରେ ନୃତ୍ୟ କଲା ନୟନରେ
ଲବେ ପାଶୋରା ମନରେ ନ ହେଲା ସଖୀ ଜାଣରେ
ଏ ଜଗତ ହେଲା ମୋତେ କାରା ରେ । ୨ ।
ହରାରି ହେଲା ବଇରି ମାନସେ ରୋଷ ବିଚାରି
ଶର ବିନ୍ଧୁଛି ଓଟାରି କେହୁ ପାରିବ ଉଦ୍ଧରି
ପାଶେ ନାହିଁ ଏବେ ସେ ସୁଧୀରା । ୩ ।
ତା ସେବାରେ ଥିବି ରହି ବୋଲି ଅତି ଆଶା ବହି
ଥିଲି ଭଙ୍ଗାଇଲା ବିହି ବୀରବିକ୍ରମ ବୋଲଇ
ଦୂର ହେଲା ମୋ ପ୍ରେମ ପସରା । ୪ ।