Chahan Re Sundari

ଚାହାଁରେ ସୁନ୍ଦରୀ
(Birabikrama Deba— Raga Ghumura, Tala Jhula)
(ବୀରବିକ୍ରମ ଦେବ— ରାଗ ଘୁମୁର, ତାଳ ଝୁଲା)

ଚାହାଁରେ ସୁନ୍ଦରୀ ଏ ଚନ୍ଦ୍ର ଶର୍ବରୀ
ଶରଦ ଯୋଗୁଁ କି ତୋରାରେ । ଘୋଷା ।

ଘନ ଖଣ୍ଡ ମାନ ନ ଥିବାରୁ ଶୂନ୍ୟ
ଦିଶେ ନୀଳଶାଢ଼ୀ ପରାରେ
ଯାମିନୀ କାମିନୀ ବେଶ ସଜାଡ଼ିଛି
ଗୁନ୍ଥିଛି ବିଶାଖା ହାରାରେ । ୧ ।

ଶୁକ୍ର ବୃହସ୍ପତି ଝଟକ ଦିଶନ୍ତି
ଖଞ୍ଜିଛି କି ଫିରିଫିରାରେ
ଚନ୍ଦ୍ରମା ସିନ୍ଦୂର ବିନ୍ଦୁ କି ସୁନ୍ଦର
ଦିଶୁଛି ଉଛୁଳି ଧରାରେ । ୨ ।

ଶ୍ରାବଣା ସୀମନ୍ତୀ ପରେ ଖୋଷିଅଛି
କୃତ୍ତିକା କୁସୁମ ଝରାରେ
ଅନୁରାଧା ବେଣୀ ଯତନେ ବାନ୍ଧିଛି
ନୟନ ହୁଅଇ ଧରାରେ । ୩ ।

ଶତଭିଷା ଫୁଲ ଅଫୁନ୍ଥା ମଣ୍ଡିଣ
ଦିଶଇ କି ମନୋହରାରେ
ଶ୍ରୀ ବୀରବିକ୍ରମ ବୋଲଇ ବିଯୋଗୀ
ଦେଖି ହେବେ ଦରମରାରେ । ୪ ।