(ବୀରବିକ୍ରମ ଦେବ— ରାଗ ପୁନ୍ନାଗ, ତାଳ ଆଠତାଳି)
ହୃଦେ ନାଚଇ ସେ ଭାବ ତୋର
ନବ ରସିକାବର । ଘୋଷା ।
ଦିନେ ଏକାନ୍ତରେ ଏକାନ୍ତ ଚିତ୍ତରେ
ଶୋଇଥିଲୁ ମାଡ଼ି କର
ନୀବିକି ତୋହର ଧରନ୍ତେ ସୁଧୀର
ଡାକିଲୁ କାହିଁର ଚୋର । ୧ ।
ବିପରୀତ ରତେ ସୁରତ ପ୍ରମତ୍ତେ
କମ୍ପୁଥାଇ କଳେବର
ସେହି କାଳେ ବଳେ ଗଣ୍ଡେ ତୋ ଚୁମ୍ବିଲେ
କରୁ ଯା ଅଙ୍ଗ ବିକାର । ୨ ।
କଲେ ମୁହିଁ ଦୋଷ କଲା ପରି ରୋଷ
ନ କହୁ ସହର୍ଷ ଗିର
ହେଲେ ମୁଁ ବିନୟୀ ବାରେ ନ ଅନାଇ
ପଛ କରୁକି ସୁନ୍ଦର । ୩ ।
ଦିନେ ନିଧୁବନେ ବିରସ ବଦନେ
ମୋ ଉରେ ଦେଇ ତୁ କର
ଇଷି ଇଷି ଭାଷି ହୋଇଣ ପ୍ରେୟସୀ
ବୋଇଲୁ ନୁହଁ ନିଷ୍ଠୁର । ୪ ।
ଶ୍ରୀ ବୀରବିକ୍ରମ ବୋଲେ ମୋତେ ବାମ
ହେଲେ ଗଙ୍ଗାଧର ପର
ବିଚାରି ସୁଚିତ୍ତେ ଆଶ୍ୱାସିଣ ମୋତେ
କହୁ ଯେମନ୍ତ ପ୍ରକାର । ୫ ।