Ebe Janibu Kede Bisama

ଏବେ ଜାଣିବୁ କେଡ଼େ ବିଷମ
(Birabikrama Deba— Raga Suratha Mallara, Tala Aditala)
(ବୀରବିକ୍ରମ ଦେବ— ରାଗ ସୁରଠ ମଲ୍ଲାର, ତାଳ ଆଦିତାଳ)

ଏବେ ଜାଣିବୁ କେଡ଼େ ବିଷମ ସେ ଶ୍ୟାମ ପୀରତି
ରସି ବଂଶୀ ନାଦରେ ଥିବାର ଉନ୍ନିଦ୍ରରେ
ନୀଳ ପଦ୍ମ ସାଦରେ ଲଗାଇବା ହୃଦରେ
(ଝୁ)
ଏହା ନ କର ବୋଲି ତୋତେ ଯେତେ କହିଲି
କିଞ୍ଚିତେ ଚିତ୍ତେ ହେଲେ ନ ଘେନିଲୁ ଛଇଳୀ
ନବଘନ ସୁନ୍ଦର ଛବିକି ଗଲୁ ଭୁଲି । ଘୋଷା ।

ଛଳି ପ୍ରଶଂସି ଆଳି ଭାବିକି ମନେ କେଳି
କଦମ୍ବ ତଳ ଧୂଳି ଅଙ୍ଗେ ହେବାର ବୋଳି । ୧ ।

କଳିନ୍ଦସୁତା ତଟେ ନୀପ ଛାଇ ନିକଟେ
ମିତ୍ର ପୂଜିବା ହଟେ ବସିବାର ଲମ୍ପଟେ । ୨ ।

ଏକାକୀ ହୋଇ ବରବରନା ବାରବାରେ
ନିକୁଞ୍ଜ କାନନର କୁସୁମ ତୋଳିବାରେ । ୩ ।

ହିତ କହିବା ମୋର ମିତ ଯା କଲୁ ଦୂର
ସତ କି ମିଛ ବୀରବିକ୍ରମ ଦେବ ଗିର । ୪ ।