Kahibe Sahi Syama Chhamure

କହିବେ ସହି ଶ୍ୟାମ ଛାମୁରେ
(Birabikrama Deba— Raga Kumbha Kamodi, Tala Jati)
(ବୀରବିକ୍ରମ ଦେବ— ରାଗ କୁମ୍ଭକାମୋଦୀ, ତାଳ ଯତି)

କହିବେ ସହି ଶ୍ୟାମ ଛାମୁରେ ଯାଇ
କିଞ୍ଚିତ ବିଳମ୍ବ ଦେଖି ସଖୀ
ଆନ ପାଞ୍ଚିଲାନି ବୋଲି
ଆହେ ନବଘନ ସୁନ୍ଦର ଗାତ୍ର
ରାତ୍ର ନୋହୁ ଆଉ ଆସ ଯିବା ବୋଲି । ଘୋଷା ।

କଞ୍ଜନିଭ ନେତ୍ର ଆସିବା ହେଜି
କୁଞ୍ଜ ମଣ୍ଡପକୁ ଯତନେ ସାଜି
କଞ୍ଜଶର ଶର ତାପକୁ ଭଜି
ସଞ୍ଜବେଳୁଁ ଚାହିଁ ରହିଅଛି ବୋଲି । ୧ ।

ଦେବକୀ ନନ୍ଦନ ନିଖିଳ ଈଶ
ସେବକୀ ଭାବରେ ହେବାର ବଶ
ହେବକି ମର୍ଦ୍ଦନ ହେବକି ଦୋଷ
କର ଯୋଡ଼ି ସହି ଜଣାଉଛି ବୋଲି । ୨ ।

କଙ୍କେଳି କୁଞ୍ଜରେ ମୁରଲୀପାଣି
ଅଙ୍କେ ବସାଇ କହିଥିବା ବାଣୀ
ସଙ୍କେତ ହୋଇଛି ମନେ ତା ଜାଣି
ପଙ୍କେରୁହ ନେତ୍ର ଭୁଲିଲ କି ବୋଲି । ୩ ।

ଘନକୁ ଚାତକ ଧ୍ୟାୟିଲା ପରି
ମନ ତୁମ୍ଭ ଠାରେ ଦେଇ କିଶୋରୀ
ଅନୁବ୍ରତେ ଅଛି ପ୍ରେମରେ ପୂରି
ଶ୍ରୀ ବୀରବିକ୍ରମ ବୋଲୁଥିଲା ବୋଲି । ୪ ।