Jubati Mati Kie Kaliba Re

ଯୁବତୀ ମତି କିଏ କଳିବ ରେ

(Birabikrama Deba— Adatali)
(ବୀରବିକ୍ରମ ଦେବ— ଆଡ଼ତାଳି)

ଯୁବତୀ ମତି କିଏ କଳିବ ରେ
ମୁଖେ ଥାଏ ନାହିଁ ଚିତ୍ତେ ଥାଏ ରହି
ଅଙ୍ଗୀକାର ସଦା ପ୍ରେମିକ ପ୍ରତି । ଘୋଷା ।

ରହିଥିଲେ ସଜନୀଙ୍କ ସମାଜେ
ସମ୍ମୁଖେ କେବେ ନ ଅନାଏ ଲାଜେ
ପଛ କରି ନିଜେ ଦେଖିବାର ବ୍ୟାଜେ
ଝୁଣ୍ଟିଆକୁ କରେ ସଳଖୁଥାନ୍ତି । ୧ ।

ଦଇବେ ନୟନ ହେଲେ ମିଳନ
ଦିଶୁଥାନ୍ତି ହେଲା ପରି ଉଚ୍ଛନ୍ନ
ହୋଇଗଲେ ଭିନ୍ନ ନ ରୁଚଇ ଆନ
ଝୁରି ନ ସରଇ ଦିବସ ରାତି । ୨ ।

ଭାରତୀ ଶ୍ରବଣେ ହୋଇ ଉତ୍ସୁକ
କଲେ ହେଲେ ପରିଶ୍ରମ ଅନେକ
ବୁଡ଼ାଇ ବିବେକ ମଉନେ ଅଧିକ
ବସିବା ନିଜ ସମ୍ମାନ ମଣନ୍ତି । ୩ ।

ଶ୍ରୀ ବୀରବିକ୍ରମ ଦେବ ବୋଲଇ
ବସିଥିଲେ ହେଲେ ମଥା ନୁଆଁଇ
ଡୋଳାକୁ ବୁଲାଇ କି ଚଞ୍ଚଳେ ନେଇ
ପ୍ରତି ଅଙ୍ଗେ ନିଉଛାଳି କରନ୍ତି । ୪ ।